Unknown

 

 

 

 

 

 

 

 

କଳାପାନ ରାଣୀ

ମୂଳରଚନା : ଆଲେକ୍‌ଜାଣ୍ଡର ପୁଷ୍କିନ୍‌

ଅନୁବାଦ : ପ୍ରଶାନ୍ତ କୁମାର ପଟ୍ଟନାୟକ

 

ମୋ’ ତରଫରୁ......

 

ମୋ’ ସ୍ୱଳ୍ପ ଜୀବନ ପରିସର ମଧ୍ୟରେ ମୁଁ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛି ସେମାନଙ୍କ ମଧ୍ୟରେ ଏମିତି ଜଣେ ଅଛି ଯେକି ମତେ ମୋ’ଠୁ ଅଧିକା ଭଲପାଏ । ମୋ’ ପ୍ରକାଶିତ ଲେଖା ଦେଖିଲେ ମୋ’ ଅପେକ୍ଷା ଅଧିକ ଖୁସି ହୁଏ । ଆଉ ମତେ ବାରମ୍ବାର ଅନୁରୋଧ କରେ ମୋ’ର ବହୁ ଛଦ୍ମନାମକୁ ପରିତ୍ୟାଗ କରି ନିଜ ନାଁରେ କିଛି ଲେଖାଲେଖି କରିବା ପାଇଁ । ତା’ କଥା ଶୁଣି ମୁଁ ହସେ । .....ଶେଷରେ ଜିଦ୍‍ଧରି ବସିଲା କେଇଟି ଋଷିୟ କାହାଣୀ ଓ ଉପନ୍ୟାସ ଅନୁବାଦ କରିବାଲାଗି । ସେ ଯୁକ୍ତି ବାଢ଼ି ବସିଲା, “ଋଷ ଆଉ ଭାରତର ପବିତ୍ର ବନ୍ଧୁତାକୁ ସାହିତ୍ୟ ମାଧ୍ୟମରେ ଭାବ ବିନିମୟ ଅଧିକ ସୁଦୃଢ଼ କରି ପାରିବତ ! ତା’ଛଡ଼ା ଋଷିୟ ବା ଇଂରାଜୀ ଭାଷା ଜାଣିନଥିବା ବହୁ ଓଡ଼ିଆ ପାଠକ ପାଠିକା ଋଷିୟ ଲେଖକମାନଙ୍କର ମହାର୍ଘ ରଚନା ସବୁ ପଢ଼ିବାର ସୁଯୋଗ ପାଇବେତ ।”

 

ତା’ରି ଅନୁରୋଧ ଓ ମୋ’ର ବହୁଦିନର ଆକାଂକ୍ଷାକୁ ଏଡ଼ାଇ ନପାରି ପ୍ରଥମେ ଋଷର ଜାତୀୟ କବି ଆଲେକ୍‍ଜାଣ୍ଡର ପୁଷ୍କିନ୍‍ଙ୍କର ଏହି କ୍ଷୁଦ୍ର ଉପନ୍ୟାସ (ଆକାରରେ କ୍ଷୁଦ୍ର ମାନରେ ନୁହେଁ) ଖଣ୍ଡିକୁ ଅନୁବାଦ କଲି ।

 

ମୋର ଅଗ୍ରଜ ପ୍ରତିମ, ଓଡ଼ିଶାରେ ଆଧୁନିକତମ ହାସ୍ୟରସାତ୍ମକ ସାହିତ୍ୟର ସ୍ରଷ୍ଟା ଶ୍ରୀ ଫତୁରାନନ୍ଦ, ଏବଂ ମୋ’ର ଅନ୍ତରଙ୍ଗ ବନ୍ଧୁ ନଗେନ୍ଦ୍ର ମୋହନ ମହାନ୍ତି, ବିଜ୍ଞାନ ଭୂଷଣ ପଟ୍ଟନାୟକ, ମାନବେନ୍ଦ୍ର ଛୋଟରାୟ, ଅଭେଦାନନ୍ଦ ମହାନ୍ତି, ବିଜୟକୁମାର ହରିଚନ୍ଦନ ଓ ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ମତେ ସର୍ବଦା ଲେଖାଲେଖି କରିବାଲାଗି ପ୍ରେରଣା ଦେଉଥିବାରୁ ମୁଁ ସେମାନଙ୍କ ନିକଟରେ ଋଣୀ ।

 

ପ୍ରକାଶକ ବନ୍ଧୁ ଶ୍ରୀ ଲିଙ୍ଗରାଜ ପଣ୍ଡା ତାଙ୍କ ପ୍ରକାଶନ ସଂସ୍ଥା ତରଫରୁ ଏହି ଅନୁଦିତ ଉପନ୍ୟାସଟିକୁ ପ୍ରକାଶ କରିବାଲାଗି ଯତ୍ନବାନ ହୋଇଥିବାରୁ ତାଙ୍କୁ ମୋ’ର ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।

 

ସର୍ବଶେଷରେ କଳାକାର ବଂଧୁ ଶ୍ରୀ ଅସିତ ମୁଖାର୍ଜି ପୁସ୍ତକଟିର ପ୍ରଚ୍ଛଦ ପରିପାଟୀକୁ ଋଚିପୂର୍ଣ୍ଣ କରିବାର ଦାୟିତ୍ୱ ନେଇଥିବାରୁ ତାଙ୍କୁ ମଧ୍ୟ ମୋ’ର କୃତଜ୍ଞତା ଜଣାଉଛି ।

 

ଓଳସିଂହ

ପ୍ରଶାନ୍ତ କୁମାର ପଟ୍ଟନାୟକ

ତା. ୩୦/୭/୧୯୬୫

 

Image

 

ବଡ଼ ଅପା;

 

ଜୀବନର ଜୁଆ ଖେଳରେ ସମସ୍ତେ ଦିନେ ନା ଦିନେ ହାରନ୍ତି । ହେଲେ ଜଣେ ସୁଦକ୍ଷା ଖେଳାଳି ହୋଇ ତୁ ଯେ ଏତେ ଶୀଘ୍ର ହାରିଯିବୁ; କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲୁ ।

 

୧୯୬୨ ମସିହା ଫେବୃୟାରୀ ଛଅ ତାରିଖ ଦିନଟାକୁ ମୁଁ ଭୁଲି ପାରିବିନି । ସେହିଦିନ ତୁ ତୋ’ ଜୀବନର ସବୁ ବିଜୟ ସତ୍ତ୍ୱେବି ପରାଜିତ ହୋଇ ଆମ ସମସ୍ତଙ୍କଠାରୁ ଦୂରେଇ ଗଲୁ ।

 

ତୋ’ରି ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଏଇ ‘କଳାପାନ ରାଣୀ’କୁ ଉତ୍ସର୍ଗ କଲି ।

 

ତୋ’ର ସ୍ନେହର

ପ୍ରଶାନ୍ତ

Image

 

ଥଣ୍ଡା ଶୀତ ଦିନରେ

ସେମାନେ ଏକାଠି ବସି ଖେଳୁଥିବେ

ସିଗାରେଟ୍‍ ଟାଣି,

 

ଏବଂ ବହୁ ବାଜି ଦେଇ

ଥଟ୍ଟା କରି ହସୁଥିବେ

ସେ ତରୁଣମାନେ ।

 

ସେମାନେ ନିର୍ଦ୍ଦେଶ ଦେବେ

ଜିଣିଥିବା ବାଜି ସବୁ ନେଇ

ଖେଳିବାକୁ ଜୁଆ,

 

ଏବଂ କିଛିଦିନ ପରେ

ସେମାନେ ଉଡ଼ାଇ ଦେବେ ସବୁ କିଛି

ଜୁଆ ଖେଳ ଖେଳି ।

Image

 

ଏକ

 

ଅଶ୍ୱାରୋହୀ ସୈନ୍ୟବାହିନୀର ଅଫିସର ନାରୁମୋଭ୍‌ଙ୍କ ଘରେ ତାସଖେଳର ଆସର ଜମିଥିଲା । ଶୀତ ଦିନର ଲମ୍ବା ରାତିଟା କେତେବେଳେ ସମସ୍ତଙ୍କ ଅଜାଣତରେ ବିତିଯାଇଥିଲା । ଖେଳ ବନ୍ଦକରି ସେମାନେ ରାତ୍ରିଭୋଜନ ଖାଇବା ପାଇଁ ବସିବା ବେଳକୁ ପାଞ୍ଚଟା ବାଜିଥିଲା । ଯେଉଁମାନେ ଖେଳରେ ବାଜି ଜିଣିଥିଲେ ସେମାନେ ବେଶ୍‌ ଫୂର୍ତ୍ତିରେ କଣ୍ଟା ଚାମଚଗୁଡ଼ାକୁ କାର୍ଯ୍ୟରେ ଲଗାଇ ଦେଇଥିଲେ । ଅନ୍ୟ ସମସ୍ତେ ସେମାନଙ୍କ ଶୂନ୍ୟ ଥାଳିଆ ନିକଟରେ ନିରାଶ ହୋଇ ବସି ରହିଥିଲେ । ଟେବୁଲ୍‌ ଉପରେ ଯଥେଷ୍ଟ ପାନୀୟ ରଖା ଯାଇଥିଲା । କ୍ରମଶଃ ଗପର ଆସର ଜୀବନ୍ତ ହୋଇଉଠିଲା ଏବଂ ସମସ୍ତେ ଏଥିରେ ଭାଗନେଲେ ।

 

‘‘ତୁମର କ’ଣ ହେଲା ସୁରୀନ୍ ?’’ ନିମନ୍ତ୍ରଣ କର୍ତ୍ତା ପ୍ରଶ୍ନକଲେ ।

 

‘‘ସବୁଥର ଭଳି ଏଥର ମଧ୍ୟ ହାରିଗଲି । ଏକଥା ନିଶ୍ଚୟ ସ୍ୱୀକାର କରିବା ଉଚିତ ଯେ ମୁଁ ହତଭାଗ୍ୟ । ସବୁବେଳେ ମୁଁ କମ୍ ବାଜି ଲଗାଏ, କେବେ ହେଲେ ଉତ୍ୟକ୍ତ ହୁଏନି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନଦେଇ ଖେଳେ, ତଥାପି ମଧ୍ୟ ସବୁଥର ମୁଁ ହାରିଯାଏ ।’’

 

‘‘ତୁମେ କ’ଣ କେବେ ପ୍ରଲୋଭିତ ହୁଅନି ? ଅଧିକ ବାଜି ଲଗାଇବା ଲାଗି ଇଚ୍ଛା ପ୍ରକାଶ କରନି ? .....ପ୍ରକୃତରେ ତୁମର ଦୃଢ଼ତା ମତେ ଆଶ୍ଚର୍ଯ୍ୟ କରାଏ ।’’

 

‘‘ହେର୍‌ମାନ୍‍ଙ୍କୁ ଦେଖ !’’ ଇଞ୍ଜିନିୟର ରେଜିମେଣ୍ଟର ଜଣେ ତରୁଣ ଅଫିସରଙ୍କୁ ଦେଖାଇ ଅତିଥିମାନଙ୍କ ମଧ୍ୟରୁ ଜଣେ କହିଲେ, ‘‘ସେ ତାଙ୍କ ଜୀବନ କାଳ ମଧ୍ୟରେ ଥରକ ପାଇଁ ହେଲେ ଖଣ୍ଡିଏ ତାସ୍‍ ଛୁଇଁ ନାହାନ୍ତି । କେବେ କୌଣସି ବାଜିକୁ ଦ୍ୱିଗୁଣିତ କରାଇବା ଲାଗି ବାଜି ଲଗାଇ ନାହାନ୍ତି, କିନ୍ତୁ ଆମ ନିକଟରେ ବସି ସକାଳ ପାଞ୍ଚଟା ପର୍ଯ୍ୟନ୍ତ ଖେଳ ଦେଖନ୍ତି ।’’

 

ହେର୍‍ମାନ୍ କହିଲେ, ‘‘ତାସଖେଳ ପ୍ରତି ମୋ’ର ଖୁବ୍ ସଉକ୍ ଅଛି କିନ୍ତୁ ଅନାବଶ୍ୟକ ପରିମାଣର ଟଙ୍କା ପାଇବା ଆଶାରେ ମୋ’ର ଆବଶ୍ୟକୀୟ ଟଙ୍କା ସବୁକୁ ବିସର୍ଜନ କରିବା ଭଳି କ୍ଷମତା ମୋ’ର ନାହିଁ ।’’

 

‘‘ହେର୍‍ମାନ୍‌ ହେଉଛନ୍ତି ଜର୍ମାନ ବଂଶଜ ଏବଂ ସେଥିଯୋଗୁଁ ସେ ସର୍ବଦା ସତର୍କ ଥାଆନ୍ତି–ଏତିକି କ’ଣ ଯଥେଷ୍ଟ ନୁହେଁ ?’’ ଟମସ୍କି ମନ୍ତବ୍ୟ କଲେ । ‘‘ଯଦି ପ୍ରକୃତରେ କିଛିଟା ରହସ୍ୟ ଥାଏ; ବର୍ତ୍ତମାନ ମୋର ଜେଜେମା କାଉଣ୍ଟେସ୍‌ ଆନ୍ନା ଫେଡ଼ୋଷ୍ଟୋଭାହିଁ ଏକ ରହସ୍ୟ ।’’

 

‘‘ସେ ପୁଣି କ’ଣ ?’’ ଅତିଥିମାନେ ଚିତ୍କାର କରି ଉଠିଲେ ।

 

ଟମସ୍କି କହିଚାଲିଲେ, ‘‘ମୋ’ ଜେଜେମା ଯେ କାହିଁକି ଆଉ ଜୁଆ ଖେଳୁ ନାହାନ୍ତି ଏ କଥା ମୁଁ ଆଦୌ ବୁଝି ପାରୁନି ।’’

 

‘‘ଅଶି ବର୍ଷ ବୟସ୍କା ଜଣେ ବୃଦ୍ଧା ଜୁଆ ଖେଳିବା ଲାଗି ଇଚ୍ଛା ପ୍ରକାଶ କରୁ ନଥିବା କ’ଣ ବା ଆଶ୍ଚର୍ଯ୍ୟଜନକ ?’’ ନାରୁମୋଭ୍‍ ମନ୍ତବ୍ୟ କଲେ ।

 

‘‘ତୁମେ କ’ଣ କହିବାକୁ ଚାହୁଁଛ ଯେ ତୁମେ ତାଙ୍କ ବିଷୟରେ କିଛି ଜାଣନା ?’’

 

“ସତକରି କହୁଛି କିଛି ହେଲେ ଜାଣେନି ।’’

 

‘‘ତେବେ ସବୁକଥା–ମୁଁ ତୁମମାନଙ୍କୁ କହିବି ।’’

 

“ତୁମେ ନିଶ୍ଚୟ ଜାଣିଥିବ ଯେ ଷାଠିଏ ବର୍ଷ ତଳେ ମୋ’ର ଜେଜେମା ପ୍ୟାରିସ୍ ଯାଇଥିଲେ । ସେଠାରେ ତାଙ୍କର ଚାଲିଚଳନ ଓ ସୌଖୀନ୍‍ ପ୍ରିୟ ପୋଷାକ ପତ୍ର ଦେଖି ଲୋକମାନେ ମସ୍କୋର ଏହି ରୂପସୀଙ୍କୁ ଦେଖିବା ଲାଗି ଆସି ଭିଡ଼ ଜମାଇଲେ । ଅନେକ ମହିଳା ତାଙ୍କୁ ଅନୁକରଣ କରିବାକୁ ଲାଗି ପଡ଼ିଲେ ।’’

 

‘‘ସେତେବେଳେ ମହିଳାମାନେ ଜୁଆ ଖେଳୁଥିଲେ । ଦିନେ ମୋ’ର ଜେଜେମା ଡିଉକ୍‌-ଡି-ଓରଲେନ୍‌ସଙ୍କ ସଙ୍ଗେ ଜୁଆ ଖେଳି ପ୍ରଚୁର ପରିମାଣ ଅର୍ଥର ଏକ ସମ୍ମାନଜନକ ବାଜି ହାରିଗଲେ । ତା’ପରେ ସେ ଘରକୁ ଫେରି ଦର୍ପଣ ସାମ୍ନାରେ ଛିଡ଼ା ହୋଇ ମୁହଁର ଦାଗ ଲିଭାଉ ଲିଭାଉ ଜେଜେବାପାଙ୍କୁ ତାଙ୍କ ପରାଜୟର କାହାଣୀ ଶୁଣାଇଲେ ଏବଂ ଏଥିପାଇଁ ତାଙ୍କୁ ଆବଶ୍ୟକୀୟ ପରିମାଣର ଅର୍ଥ ଦେବାଲାଗି ନିର୍ଦ୍ଦେଶ ଦେଲେ ।’’

 

‘‘ମୋର ଯେତେଦୂର ମନେହୁଏ, ମୋର ମୃତ ଜେଜେବାପା ଜେଜେମାଙ୍କର ଗୁମାସ୍ତା ଭଳି ତାଙ୍କ ସମ୍ପତ୍ତିର ସମସ୍ତ ହିସାବ ପତ୍ର ବୁଝୁଥିଲେ ଏବଂ ସେ ଜେଜେମାଙ୍କୁ ପ୍ଳେଗ୍‌ ଭଳି ଭୟ କରୁଥିଲେ । କିନ୍ତୁ ଏଭଳି ଏକ ପ୍ରଚୁର ପରିମାଣର କ୍ଷତିକଥା ଶୁଣିବା ମାତ୍ରେ ସେ ଉତ୍ତ୍ୟକ୍ତ ହୋଇଉଠିଲେ ଏବଂ ସଙ୍ଗେ ସଙ୍ଗେ ହିସାବ ଦେଖାଇ ପ୍ରମାଣ କରାଇ ଦେଲେ ଯେ ଗତ ଛଅମାସ ମଧ୍ୟରେ ସେମାନେ ଅଧଲକ୍ଷେ ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ପ୍ରଚୁର ଟଙ୍କା ନାହିଁ କିମ୍ବା ପ୍ୟାରିସ୍‌ ନିକଟରେ ମସ୍କୋ ବା ସାରଟୋଭ୍ ପ୍ରଦେଶ ନାହିଁ ଯେଉଁଠାରୁ କି ଆବଶ୍ୟକ ଅନୁଯାୟୀ ଟଙ୍କା ଅଣାଯାଇ ପାରନ୍ତା ।’’ ....ଏ ସବୁ କହି ସାରିବା ପରେ ଟଙ୍କା ଦେବା ଲାଗି ସେ ସିଧା ସଳଖ ମନା କରିଦେଲେ ।

 

ତାଙ୍କଠାରୁ ନାସ୍ତିବାଣୀ ଶୁଣି ଜେଜେମା ଉତ୍ତ୍ୟକ୍ତା ହୋଇପଡ଼ି ତାଙ୍କ କାନ ମୁଣ୍ଡାକୁ ଲକ୍ଷ୍ୟକରି ଗୋଟାଏ ମୁଥ ମାରିଲେ ଏବଂ ତାଙ୍କ ପ୍ରତି ହତାଦରର ନିଦର୍ଶନ ପୂର୍ବକ ତାଙ୍କୁ ଶୟନକକ୍ଷରୁ ନିର୍ବାସିତ କରିଦେଲେ ।

 

ପରଦିନ ସକାଳେ ସେ ଜେଜେବାପାଙ୍କୁ ଡକାଇ ପଠାଇଲେ । ତାଙ୍କର ଧାରଣା ଥିଲା ଯେ ଗତ ରାତ୍ରିର ଦଣ୍ଡ ଜେଜେବାପାଙ୍କ ଉପରେ କିଛିଟା ପ୍ରଭାବ ପକାଇଥିବ । କିନ୍ତୁ ସେ ପୂର୍ବଭଳି ନିଜର ସିଦ୍ଧାନ୍ତ ପ୍ରତି ଦୃଢ଼ଥିଲେ ।

 

ବିବାହିତ ଜୀବନରେ ପ୍ରଥମଥର ଲାଗି ଜେଜେମା ସେଦିନ ସ୍ୱାମୀଙ୍କ ନିକଟରେ ମୁଣ୍ଡ ନୁଆଇଁ ନାନା ଯୁକ୍ତି ବାଢ଼ିଥିଲେ ଓ ନିଜ କାର୍ଯ୍ୟ ବିଷୟରେ ନାନା ସଫେଇ ଦେଇଥିଲେ । ଜେଜେବାପାଙ୍କ ସମ୍ମାନକୁ ତଳେପକାଇ ତାଙ୍କୁ ଅପମାନିତ କରିବାଲାଗି କହିଲେ, ‘‘ସମସ୍ତେ ଧାର କରନ୍ତି । ସମସ୍ତଙ୍କର ଅଭାବ ଅସୁବିଧା ଅଛି । ...ହେଲେ ଜଣେ ରାଜକୁମାର ଓ ଗୋଟାଏ ଗାଡ଼ିବାଲା ମଧ୍ୟରେ ପାର୍ଥକ୍ୟ ତ ଅଛି ?’’

 

‘‘ହୁଁ...ବେକାର !’’ ଜେଜେବାପା ବିଦ୍ରୋହ କରି ଉଠିଲେ । ସେ ଟଙ୍କା ଦେବାଲାଗି ସ୍ପଷ୍ଟ ମନାକରିଦେଲେ ଓ ତାହାହିଁ ତାଙ୍କର ଚରମ ନିଷ୍ପତ୍ତି ଥିଲା ।

 

ଜେଜେମା ସେତେବେଳକୁ ସମସ୍ତ ବୁଦ୍ଧିବୃତ୍ତି ହରାଇ ବସିଥିଲେ ।

 

ଜେଜେମାଙ୍କର ଅନ୍ତରଙ୍ଗମାନଙ୍କ ମଧ୍ୟରେ ଥିଲେ ଜଣେ ସ୍ଵନାମଧନ୍ୟ ଭଦ୍ରବ୍ୟକ୍ତି; ଯେଉଁ ଭଦ୍ରବ୍ୟକ୍ତିଙ୍କ ବିଷୟରେ ବହୁ ଚମକ୍‌ପ୍ରଦ କାହାଣୀମାନ ଶୁଣିବାକୁ ମିଳେ । ତୁମେ ସେହି ସେଣ୍ଟ-ଜରମାଇନ୍‌ଙ୍କ ନାଁ ଶୁଣିଥିବ । ସେ ନିଜକୁ ଜଣେ ଅମର ଇହୁଦୀ ଡାକ୍ତର ବୋଲି ପରିଚିତ କରାଉଥିଲେ ଏବଂ ସେ ଏକ ଅମର ସଞ୍ଜୀବନୀର ଉଦ୍ଭାବକ ବୋଲି ପ୍ରଚାର କରୁଥିଲେ । ଲୋକେ ତାଙ୍କୁ ଦେଖିଲେ ଔଷଧ ଫେରିବାଲା ବୋଲି ଭାବି ହସନ୍ତି ଏବଂ କାସାନୋଭା ତାଙ୍କ ସ୍ମୃତି ପତ୍ରରେ ଲେଖି ଯାଇଛନ୍ତି ଯେ ସେ ଜଣେ ଗୁପ୍ତଚର ଥିଲେ । ସମସ୍ତ ରହସ୍ୟାବୃତ୍ତ ପରିଚୟ ସତ୍ତ୍ୱେବି ସେଣ୍ଟ-ଜରମାଇନ୍‌ଙ୍କର ଖୁବ୍‌ ସମ୍ମାନଜନକ ଚେହେରା ଥିଲା ଏବଂ ସମାଜରେ କିଭଳି ନିଜକୁ ଖାପଖୁଆଇ ହୁଏ ଏକଥା ତାଙ୍କୁ ବେଶ୍‌ ଜଣାଥିଲା । ମୋ ଜେଜେମା ତାଙ୍କୁ ଖୁବ୍‌ ଭଲପାଉଥିଲେ । ତାଙ୍କ ବିରୁଦ୍ଧରେ କିଛି ଅସମ୍ମାନସୂଚକ କଥା କହିବାଲାଗି କାହାକୁ ସୁଯୋଗ ଦେଉ ନଥିଲେ । ସେ ଜାଣିଥିଲେ ଯେ ସେଣ୍ଟ-ଜରମାଇନ୍‌ଙ୍କ ପାଖରେ ପ୍ରଚୁର ପରିମାଣରେ ଟଙ୍କା ଥିଲା । ତେଣୁ ତାଙ୍କଠାରୁ କିଛି ସାହାଯ୍ୟ ଆଣିବାଲାଗି ସ୍ଥିର କରି ସଙ୍ଗେ ସଙ୍ଗେ ଚିଠିଲେଖି ତାଙ୍କୁ ଡକାଇ ପଠାଇଲେ ।

 

ସେଣ୍ଟ-ଜରମାଇନ୍‌ ଜେଜେମାଙ୍କ ଡାକରା ପାଇ ଆସି ଦେଖିଲେ ସେ ଦୁଃଖରେ ସମ୍ପୂର୍ଣ୍ଣରୂପେ ଭାଙ୍ଗି ପଡ଼ିଛନ୍ତି । ଜେଜେମା ତାଙ୍କ ନିକଟରେ ସ୍ୱାମୀଙ୍କୁ ଯାବତୀୟ ପ୍ରକାର କଦର୍ଯ୍ୟ ରଙ୍ଗଦେଇ ବର୍ଣ୍ଣନା କଲେ ଓ ସେଣ୍ଟ-ଜରମାଇନ୍‌ଙ୍କ ବ୍ୟକ୍ତିତ୍ୱ ଓ ବନ୍ଧୁତ୍ୱ ତାଙ୍କର ଏକମାତ୍ର ଭରସା ବୋଲି କହି ବକ୍ତବ୍ୟ ଶେଷକଲେ ।

 

ଜେଜେମାଙ୍କଠାରୁ ସବୁକଥା ଶୁଣିସାରି ସେଣ୍ଟ-ଜରମାଇନ୍ ଟିକିଏ ଚିନ୍ତାକରି କହିଲେ, ‘‘ଆପଣଙ୍କର ଆବଶ୍ୟକୀୟ ପରିମାଣର ଟଙ୍କା ଦେବାଲାଗି ମୋ’ର କୌଣସି ଆପତ୍ତି ନଥିଲା, କିନ୍ତୁ ମୁଁ ଭଲଭାବରେ ଜାଣେ ଯେ ମୋ’ ଟଙ୍କାଗୁଡ଼ିକ ନ ଫେରାଇବା ପର୍ଯ୍ୟନ୍ତ ଆପଣ ଆଦୌ ଶାନ୍ତି ପାଇବେନି । ତେଣୁ ମୁଁ ପୁଣିଥରେ ଆପଣଙ୍କୁ ହଟହଟାରେ ପକାଇବାକୁ ଚାହେଁନି । ଗୋଟିଏ ଉପାୟ ଅଛି ଯାହାଦ୍ୱାରା କି ଆପଣ ସେହି ଟଙ୍କାଗୁଡ଼ିକୁ ପୁଣି ଥରେ ଜିଣି ପାରିବେ ।’’

 

‘‘କିନ୍ତୁ ପ୍ରିୟ କାଉଣ୍ଟ ! ମୁଁ ତୁମକୁ କହି ରଖୁଛି ଯେ ଆମ ପାଖରେ ଆଉ ଗୋଟିଏ ହେଲେ ଟଙ୍କା ନାହିଁ ।’’

 

‘‘ଏଥିଲାଗି ଆପଣଙ୍କର ଆଦୌ ଟଙ୍କାର ଆବଶ୍ୟକ ହେବନି ।’’ କାଉଣ୍ଟ କହିଲା, ‘‘ଦୟାକରି ମୋ’ କଥା ଟିକିଏ ଶୁଣନ୍ତୁ ।’’ ତା’ପରେ ସେ ଜେଜେମାଙ୍କୁ ଗୋଟିଏ ଗୁପ୍ତ ସୂତ୍ର ବତାଇ ଦେଲେ ଯେଉଁଟାକି ଆମମାନଙ୍କ ମଧ୍ୟରୁ କେହି ଜାଣିନୁ....’’

 

ତରୁଣ ଜୁଆଡ଼ିମାନେ ଚତୁର୍ଗୁଣ ଆଗ୍ରହ ସହକାରେ ଟମସ୍କିଙ୍କ କଥାକୁ ଶୁଣି ବସିଲେ । ଟମସ୍କି ପାଇପରେ ନିଆଁଧରାଇ ସୋଟ ମାରିଲେ ଓ ଧୂଆଁ ଛାଡ଼ି କହି ବସିଲେ–

 

‘‘ସେଦିନ ରାତିରେ ଜେଜେମା ଡିଉକ୍‌-ଡି-ଓରଲେନ୍‌ସଙ୍କ ନିକଟରେ ପହଞ୍ଚି ସାଙ୍ଗରେ ତାଙ୍କର ପ୍ରାପ୍ୟ ଟଙ୍କା ଆଣିନଥିବା ଯୋଗୁ କ୍ଷମା ମାଗିଲେ ଏବଂ କେଉଁ ଅସୁବିଧାର ସମ୍ମୁଖୀନା ହୋଇ ସେ ଟଙ୍କା ଆଣି ପାରିଲେନି ସେ ସଂପର୍କରେ ଗୋଟାଏ ମନଗଢ଼ା କାହାଣୀ ଶୁଣାଇ ଡିଉକ୍‌ଙ୍କ ବିରୁଦ୍ଧରେ ଖେଳି ବସିଲେ । ସେ ତିନୋଟି ତାସ୍‌ ବାଛି ନେଇ ବାଜି ଲଗାଇଲେ ଏବଂ ଗୋଟିଏ ପରେ ଗୋଟିଏ ତାସ୍‌ ଖେଳି ତିନୋଟି ଯାକ ବାଜି ଜିଣିଲେ । ସେ ହାରିଥିବା ସମସ୍ତ ଟଙ୍କା ଫେରି ପାଇଲେ ।

 

‘‘ଏହା କେବଳ ଗୋଟାଏ ସୁଯୋଗ !’’ ଅତିଥିମାନଙ୍କ ମଧ୍ୟରୁ ଜଣେ କହିଲେ ।

 

‘‘ଗୋଟାଏ ପରୀ କାହାଣୀ !’’ ହେର୍‌ମାନ୍ କହିଲେ ।

 

‘‘ବୋଧହୁଏ ତାସ୍‌ଗୁଡ଼ିକରେ କିଛି ଚିହ୍ନଥିଲା ।’’ ଆଉ ଜଣେ ମନ୍ତବ୍ୟ କଲେ ।

 

‘‘ନା’’ ଖୁବ୍‌ ଦୃଢ଼ ସ୍ୱରରେ ଟମସ୍କି ଉତ୍ତର ଦେଲେ ।

 

ନାରୁମୋଭ୍‌ କହିଲେ, ‘‘ସତେନା କ’ଣ ! ତମର ଏଭଳି ଜଣେ ଜେଜେମା ଅଛନ୍ତି ଯେକି କ୍ରମାଗତ ଭାବରେ ତିନୋଟି ବିଜୟୀ ତାସ୍‌ ଖେଳିପାରନ୍ତି, ଅଥଚ ତୁମେ ଏ ପର୍ଯ୍ୟନ୍ତ ସେହି ଗୁପ୍ତ-ରହସ୍ୟକୁ ଆବିଷ୍କାର କରିବା ଲାଗି ସକ୍ଷମ ହୋଇନ ?’’

 

‘‘ଏହା ସେତେ ସହଜ ନୁହେଁ,’’ ଟମସ୍କି ଉତ୍ତର ଦେଲେ । ‘‘ତାଙ୍କର ଚାରିପୁଅ ଥିଲେ, ଯେଉଁମାନଙ୍କ ମଧ୍ୟରୁ ମୋ’ ବାପା ହେଉଛନ୍ତି ଜଣେ । ଚାରିଜଣଯାକ ହତାଶ ଜୁଆଡ଼ି ଥିଲେ । କିନ୍ତୁ ଜେଜେମା ସେମାନଙ୍କୁ ଏହି ଗୁପ୍ତ ସୂତ୍ରଟି କହି ନଥିଲା । ମୋ’ର ଦାଦା କାଉଣ୍ଟ ଆଇଭାନ୍ ଇଲ୍ୟିତ୍ ମତେ ଥରେ କହିଥିଲେ ଯେ ସ୍ୱର୍ଗତ ଚାପ୍ଳଟିସ୍କି, ଯେଉଁ ଚାପ୍ଳଟିସ୍କି ଦାରିଦ୍ର୍ୟ ହେତୁ ମରିଥିଲା, ସେ ଲକ୍ଷ ଲକ୍ଷ ଟଙ୍କା ଜୁଆ ଖେଳରେ ଉଡ଼ାଇ ଦେଇଥିଲା । ସେ ବେଳେବେଳେ ତିରିଶ୍‌ ଚାଳିଶ୍‌ ହଜାର ରୁବଲ୍‍ ଲେଖାଏଁ ଜୁଆ ଖେଳରେ ହାରୁଥିଲା । ପାଖରୁ ସବୁ ଟଙ୍କା ସରିଯିବା ପରେ ସେ ହତାଶ ହୋଇପଡ଼ିଲା । ଯଦିଓ ମୋର ଜେଜେମା ଯୁବକମାନଙ୍କର ଏଭଳି ବେପରୁଆ ଭାବକୁ ଆଦୌ ପସନ୍ଦ କରୁନଥିଲେ ତଥାପି କୌଣସି କାରଣ ହେତୁ ଚାପ୍ଳଟିସ୍କି ପ୍ରତି ତାଙ୍କର ଦୟା ହେଲା । ସେ ଚାପ୍ଳଟିସ୍କିକୁ ସେହି ତିନୋଟି ବିଜୟୀ ତାସ୍‌ର ସୂତ୍ର ବତାଇ ଦେଲେ ଓ ନିଜର ଅପହୃତ ଧନ ଫେରିପାଇବା ପରେ ଆଉ ଜୁଆ ନ ଖେଳିବା ଲାଗି ତାକୁ ଶପଥ କରାଇ ନେଲେ ।

 

ଚାପ୍ଳଟିସ୍କି ତା’ର ଭାଗ୍ୟ ପରୀକ୍ଷା ପାଇଁ ସଙ୍ଗେ ସଙ୍ଗେ ଯାଇ ଖେଳିବସି ପଚାଶ ହଜାର ରୁବଲ୍‌ ବାଜି ଲଗାଇଲା ଓ ପରେ ପରେ ତାକୁ ଦ୍ୱିଗୁଣିତ ଓ ଚତୁର୍ଗୁଣିତ କରି ବାଜି ଲଗାଇ ପ୍ରତିଥର ଜିଣିଲା ଓ ତା’ର ସମସ୍ତ ଟଙ୍କା ଫେରି ପାଇଲା ।’’

 

‘‘କିନ୍ତୁ ବର୍ତ୍ତମାନ ଶୋଇବାର ସମୟ ହେଲାଣି–ଛଅଟା ବାଜିବାକୁ ମାତ୍ର ପନ୍ଦର ମିନିଟ୍‌ ବାକି ଅଛି ।’’ ଅତିଥିମାନଙ୍କ ମଧ୍ୟରୁ ଜଣେ କହିଲେ ।

 

ପ୍ରକୃତରେ ଚତୁର୍ଦ୍ଦିଗ ଆଲୋକିତ ହୋଇ ଆସୁଥିଲା । ଗ୍ଲାସରେ ବାକିଥିବା ପାନୀୟ ସବୁକୁ ଶେଷକରି ତରୁଣ ଅଫିସରମାନେ ସେଠାରୁ ଚାଲିଗଲେ ।

 

ଦୁଇ

 

ପ୍ରସାଧାନ ଗୃହର ଦର୍ପଣ ସମ୍ମୁଖରେ ବସି ରହିଥିଲେ ବୃଦ୍ଧା କାଉଣ୍ଟେସ୍‌ । ତାଙ୍କ ନିକଟରେ ଠିଆହୋଇଥିଲେ ତିନିଜଣ ପରିଚାରିକା । ଜଣେ ଗୋଲାପି ପାଉଡ଼ରର ପାତ୍ର, ଆଉ ଜଣେ ମୁଣ୍ଡ କଣ୍ଟାରେ ପୂର୍ଣ୍ଣ ବାକ୍‌ସ ଓ ଅନ୍ୟ ଜଣକ ଲାଲରଙ୍ଗର ରିବନ୍‍ଦ୍ୱାରା ସଜ୍ଜିତ ଡେଙ୍ଗା ଟୋପିଟିଏ ଧରି ଛିଡ଼ା ହୋଇଥିଲା । କାଉଣ୍ଟେସ୍‌, ଯାହାଙ୍କଠାରେ ସୌନ୍ଦର୍ଯ୍ୟର ଏତେ ଟିକେ ବି ଚିହ୍ନ ନଥିଲା...ତାହା କେଉଁ ଦିନଠାରୁ ଫିକାପଡ଼ି ଯାଇଥିଲା, ସେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ଯୌବନର ପ୍ରତିଟି ଅଭ୍ୟାସକୁ ଯତ୍ନସହକାରେ ପାଳନ କରୁଥିଲେ । ବିଶେଷ କରି ୧୭୭୦ ମସିହାର ସୌଖୀନ୍‍ ପ୍ରତି ସେ ଏକାଗ୍ର ଥିଲେ ଏବଂ ଷାଠିଏ ବର୍ଷତଳେ ପ୍ରସାଧାନରେ ଯେତିକି ସମୟ ଓ ଶକ୍ତି ବ୍ୟୟ କରୁଥିଲେ ଏବେ ମଧ୍ୟ ତାହା ବ୍ୟୟ କରୁଥିଲେ ।

 

ଝରକା ନିକଟରେ ଏମ୍ବ୍ରଡରୀ ଫ୍ରେମ୍‌ଟା ଧରି ବସିରହି ଥିଲା ତରୁଣୀଟିଏ । ସେ କାଉଣ୍ଟେସ୍‌ଙ୍କ ସଙ୍ଗିନୀ ।

 

ହଠାତ୍‌ ଘର ଭିତରକୁ ପଶି ଆସିଲେ ଜଣେ ତରୁଣ ଅଫିସର । ସେ କାଉଣ୍ଟେସ୍‌ଙ୍କୁ ଚାହିଁ କହିଲେ, ‘‘ସୁପ୍ରଭାତ ଜେଜେମା ! ....ମୁଁ ତୁମର ସାହାଯ୍ୟ ପାଇଁ ଆସିଥିଲି ।’’

 

‘‘କି ପ୍ରକାର ସାହାଯ୍ୟ ?’’

 

‘‘ତୁମ ସାଙ୍ଗରେ ମୋ’ର ଜଣେ ବଂଧୁଙ୍କୁ ପରିଚିତ କରାଇବାର ଅନୁମତି ଦିଅ । ମୁଁ ତାଙ୍କୁ ଶୁକ୍ରବାର ଦିନ ତୁମ ବଲ୍‌ନାଚ ଘରକୁ ଆଣିବି ।’’

 

‘‘ତାଙ୍କୁ ସିଧାସଳଖ ବଲ୍‍ନାଚ ଘରକୁ ନେଇଆସ । ସେଇଠି ମୋ’ସହ ତାଙ୍କର ପରିଚୟ କରାଇଦେବ । ତୁମେ କାଲି...ସେଠି ଥିଲ କି ?”

 

‘‘ହଁ...ଭାରି ମଜା ହେଲା । ଆମେ ପାଞ୍ଚଟା ପର୍ଯ୍ୟନ୍ତ ନାଚିଲୁ । ଏଲିସ୍କା କାଲି ଚମତ୍କାର ନାଚିଲା ।’’

 

‘‘ସେ ବା କ’ଣ ନାଚିଥିବ ? ତୁମେ ତା’ର ଜେଜେମା ରାଜକୁମାରୀ ଦାରାପେଟ୍ରୋଭାନାଙ୍କୁ ଦେଖି ଥାଆନ୍ତ ! .....ବର୍ତ୍ତମାନ ସେ ନିଶ୍ଚୟ ଖୁବ୍‌ ବୁଢ଼ୀ ହୋଇ ଯିବେଣି ।’’

 

‘‘ବୁଢ଼ୀ ?’’ ଟମସ୍କି ଅନ୍ୟମନସ୍କ ଭାବରେ ଉତ୍ତର ଦେଲା ।

 

ତରୁଣୀଟି ଝରକା ଆଡ଼ୁ ମୁହଁ ଫେରାଇ ଟମସ୍କିଙ୍କୁ ଇସାରା ଦେଲା । ସଙ୍ଗେ ସଙ୍ଗେ ଟମସ୍କିଙ୍କର ମନେପଡ଼ିଗଲା ଯେ କାଉଣ୍ଟେସ୍‌ଙ୍କ ସମସାମୟିକ ବ୍ୟକ୍ତିମାନଙ୍କ ମୃତ୍ୟୁ ସମ୍ବାଦ ତାଙ୍କ ନିକଟରେ ଗୋପନୀୟ ରଖିବା ଉଚିତ୍‍ । ତେଣୁ ସେ ସଙ୍ଗେ ସଙ୍ଗେ ଓଠ କାମୁଡ଼ି ପକାଇଲେ । କିନ୍ତୁ ସେତେବେଳକୁ ଏକଥା କାଉଣ୍ଟେସ୍‌ଙ୍କ କାନରେ ପଡ଼ିସାରିଥିଲା ।

 

କାଉଣ୍ଟେସ୍‌ କହିଲେ, ‘‘କ’ଣ ହେଲା ! ସେ ମରିଗଲେଣି ? ...ହେଲେ ମୁଁ ଏକଥା ଜାଣି ପାରିଲିନି ? ....ଆମେ ଏକ ସମୟରେ ଖୁବ୍‌ ସମ୍ମାନସ୍ପଦା ମହିଳା ଥିଲୁ ଏବଂ ସେତେବେଳେ ଆମକୁ ‘‘ସାତ୍ମାଙ୍କି’’ ପଦ ଉପହାର ଦିଆଯାଇଥିଲା...’’

 

ଏଇକଥା ବୋଧହୁଏ କାଉଣ୍ଟେସ୍‌ ଟମସ୍କିଙ୍କ ନିକଟରେ ଶହେଥର ଲାଗି କହିଲେ ।

ତା’ପରେ ଟିକିଏ ଦମ୍‌ ନେଇ କାଉଣ୍ଟେସ୍‌ କହିଲେ; ‘‘ଆଚ୍ଛା ଠିକ୍‌ ଅଛି, ତମେ ମତେ ଟିକିଏ ଠିଆହେବା ଲାଗି ସାହାଯ୍ୟକର ।’’

ସଙ୍ଗେ ସଙ୍ଗେ ସେ ଲିସାବେତା ଉଦ୍ଦେଶ୍ୟରେ ପଚାରିଲେ, ‘‘ଲିଜ୍‌ ! ମୋ’ ନାସ ଡବାଟା କାହିଁ ?’’

ପ୍ରସାଧାନ ସମାପ୍ତ କରିବା ନିମନ୍ତେ କାଉଣ୍ଟେସ୍‌ ପରିଚାରିକାମାନଙ୍କ ସହ ପରଦା ଅନ୍ତରାଳରେ ଅଦୃଶ୍ୟ ହେଲେ, ଟମସ୍କି ଓ ଲିସାବେତା ଦୁହେଁ ରହିଗଲେ ।

‘‘ତାଙ୍କ ସହ କାହାକୁ ପରିଚୟ କରାଇବାକୁ ଚାହୁଁଛ ?’’ ନମ୍ର ସ୍ୱରରେ ପଚାରିଲା ଲିସାବେତା ।

‘‘ନାରୁମୋଭ୍‍ଙ୍କୁ । ତୁମେ ତାଙ୍କୁ ଜାଣ କି ?’’

‘‘ନା । ସେ ସୈନ୍ୟବାହିନୀର ଲୋକ ନା ସାଧାରଣ ଲୋକ ?’’

‘‘ସୈନ୍ୟବାହିନୀର ।’’

ସେ କ’ଣ ଜଣେ ଇଞ୍ଜିନିୟର ?’’

‘‘ନା । ଅଶ୍ୱାରୋହୀ ବିଭାଗର । ...ତୁମେ ତାଙ୍କୁ ଇଞ୍ଜିନିୟର ବୋଲି କାହିଁକି ଭାବିଲ ?”

ଲିସାବେତା ଈଷତ୍‌ ହସିଲା କିନ୍ତୁ କିଛି ଉତ୍ତର ଦେଲାନି ।

ପରଦା ଅନ୍ତରାଳରୁ କାଉଣ୍ଟେସ୍‌ ପାଟିକରି କହିଲେ ‘‘ଟମସ୍କି ! ମୋ’ ପାଇଁ ନୂଆ ଉପନ୍ୟାସଟିଏ ପଠାଇବ କିନ୍ତୁ ଆଧୁନିକ ଉପନ୍ୟାସ ନୁହେଁ ।’’

‘‘ତା ଅର୍ଥ ତୁମେ କ’ଣ କହୁଛ ଜେଜେମା ?’’

‘‘ମୁଁ କହୁଥିଲି ଯେ ଉପନ୍ୟାସଟି ଏଭଳି ଏକ ଉପନ୍ୟାସ ହୋଇଥିବ ଯେଉଁଥିର ନାୟକ ତା’ର ବାପା କିମ୍ବା ମାଆଙ୍କୁ ଗଳାଚିପି ହତ୍ୟାକରି ନଥିବ କିମ୍ବା ପାଣିରେ ବୁଡ଼ି ମରିଥିବା ଲୋକର ବର୍ଣ୍ଣନା ସେଥିରେ ନଥିବ । ପାଣିରେ ବୁଡ଼ି ମରିଥିବା ଲୋକଗୁଡ଼ାଙ୍କ ପ୍ରତି ମୋର ଭୀଷଣ ଭୟ ।’’

‘‘ଋଷିୟ ଉପନ୍ୟାସକୁ ବାଦ୍ ଦେଲେ ଆଜିକାଲି ସେଭଳି ଉପନ୍ୟାସ ଆଦୌ ନାହିଁ ।’’

‘‘ତୁମ ପାଖରେ କିଛି ଋଷିୟ ଉପନ୍ୟାସ ଅଛି କି ? ଦୟାକରି ଯେ କୌଣସିମତେ ମୋ ପାଇଁ ଖଣ୍ଡେ ପଠାଇ ଦେବ ।’’

‘‘ଆଚ୍ଛା, ମୁଁ ଯାଉଛି ଜେଜେମା, ମୋ ହାତରେ ସମୟ ଖୁବ୍‌ କମ୍‌ ।’’

ତା’ପରେ ଲିସାବେତା ଇଭାନୋଭ୍‍ନାକୁ ଚାହିଁ କହିଲା, ‘‘ବିଦାୟ....ଲିସାବେତା ତମେ କେଉଁ କାରଣରୁ ଭାବିନେଲ ଯେ ନାରୁମୋଭ୍‌ ଜଣେ ଇଞ୍ଜିନିୟର ?’’

ସେ ଆଉ ଲିସାବେତାର ଉତ୍ତରକୁ ଅପେକ୍ଷା ନକରି ପ୍ରସାଧାନ ଗୃହରୁ ବାହାରିଗଲା ।

ସେହି କୋଠରିଟିରେ ଏକାକୀ ରହିଗଲା ଲିସାବେତା । ସେ ଏମ୍ବ୍ରଡରୀ ଫ୍ରେମ୍‌ ଉପରୁ ମୁହଁ ଉଠାଇ ଝରକାଦେଇ ବାହାରକୁ ଚାହିଁଲା । ...ଜଣେ ତରୁଣ ଅଫିସର ଆସି ରାସ୍ତାର ଅପର ପାର୍ଶ୍ୱରେ ଗୋଟାଏ କଣରେ ଛିଡ଼ା ହେଲେ । ତାଙ୍କର ମୁଖମଣ୍ଡଳ ରକ୍ତାଭ ଦେଖାଯାଉଥିଲା । ଲିସାବେତା ପୁଣି ତା’ ଏମ୍ବ୍ରଡରୀ ଫ୍ରେମ୍‌ର କ୍ୟାନଭାସ୍ ଉପରୁ ଆଖି ଫେରାଇଆଣି ତା’ ଉପରକୁ ଝୁଙ୍କିପଡ଼ି ପୁଣି କାମରେ ମନଦେଲା । ଠିକ୍‌ ସେହି ସମୟରେ ସମ୍ପୂର୍ଣ୍ଣ ରୂପେ ସଜ୍ଜିତା କାଉଣ୍ଟେସ୍‌ ଆସି ସେଠାରେ ପହଞ୍ଚି କହିଲେ ‘‘ଗାଡ଼ିବାଲାକୁ ଡକାଅ ଆମେ ବୁଲିଯିବୁ ।’’

 

ଲିସାବେତା ଏମ୍ବ୍ରଡରୀ ଫ୍ରେମ୍‌ ନିକଟରୁ ଉଠି ଆସିଲା ।

 

‘‘ତୁ କ’ଣ କାଲୁଣିଟାଏ ନା କ’ଣ ?’’ କାଉଣ୍ଟେସ୍‌ ଚିତ୍କାର କରି ଉଠିଲେ । ‘‘ସଙ୍ଗେ ସଙ୍ଗେ ଗାଡ଼ିବାଲାକୁ ଡକାଅ ।’’

 

‘‘ହଉ ଜେଜେମା’’ ଖୁବ୍‌ ନମ୍ର ସ୍ୱରରେ କହି ଲିସାବେତା ସେଠାରୁ ଚାଲିଗଲା ।

 

ଚାକରଟିଏ କାଉଣ୍ଟେସ୍‌ଙ୍କ ପାଇଁ ରାଜକୁମାର ପାଭେଲ୍‌ ଆଲେକ୍‍ଜାଣ୍ଡ୍ରୋଭିଚଙ୍କଠାରୁ କେତେ ଗୁଡ଼ିଏ ବହି ଆଣି ଆସି ପହଞ୍ଚିଲା ।

 

‘‘ରାଜକୁମାରଙ୍କୁ ମୋର ଧନ୍ୟବାଦ ଜଣାଇଦେବ,” କାଉଣ୍ଟେସ୍‌ କହିଲେ । ତା’ପରେ ସେ ଲିସାବେତାକୁ ଚାହିଁ ପଚାରିଲେ ‘‘ଲିଜ୍‌ ! କୁଆଡ଼େ ଯାଉଛୁ ?”

 

‘‘ପୋଷାକ ପିନ୍ଧିବା ପାଇଁ ଯାଉଛି ।’’

 

‘‘ଯଥେଷ୍ଟ ସମୟ ଅଛି ଲିଜ୍ ! ପ୍ରଥମେ ବହି ଖଣ୍ଡେ ପଢ଼ି ଶୁଣା ।’’

 

ଲିସା ବହିଟିଏ ଉଠାଇନେଇ କେଇ ଧାଡ଼ି ପଢ଼ିଲା ।

 

‘‘ବଡ଼ ପାଟିକରି ପଢ଼୍‌ ।’’ କାଉଣ୍ଟେସ୍‌ କହିଲେ, ତୋର କ’ଣ ହୋଇଛି ଲିଜ୍‌ ! ତୁ ତୋର ସ୍ୱର ହରାଇ ବସିଲୁଣି ନା କ’ଣ ?’’

 

ଲିସାବେତା ଆଉଦୁଇଟି ପୃଷ୍ଠା ପଢ଼ିଲା ।

 

କାଉଣ୍ଟେସ୍‌ ହଠାତ୍‌ ଚିତ୍କାର କରି ଉଠିଲେ, ‘‘ବହିଟା ରଖିଦେ । ଖାଲି ବାଜେ କଥା ଗୁଡ଼ାଏ ଲେଖାଅଛି । ସେ ସବୁକୁ ମୋର ଧନ୍ୟବାଦ ସହ ରାଜକୁମାରଙ୍କ ପାଖକୁ ଫେରାଇ ଦେବାର ବ୍ୟବସ୍ଥା କର । ..ଆଚ୍ଛା ଗାଡ଼ି କାହିଁ ?’’

 

ଲିସାବେତା ଝରକା ଦେଇ ବାହାରକୁ ଚାହିଁ କହିଲା, ‘‘ଗାଡ଼ି ପ୍ରସ୍ତୁତ ହୋଇ ସାରିଛି ।’’

 

କାଉଣ୍ଟେସ୍‌ ବିରକ୍ତି ପ୍ରକାଶ କରି କହିଲେ, ‘‘ତୁ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନୁ କାହିଁକି ? ତୁ ସବୁବେଳେ ଏମିତି ଡେରି କରୁଥିବୁ ଯାହା ଫଳରେକି ମୁଁ ଅପେକ୍ଷା କରିବାକୁ ବାଧ୍ୟ ହେଉଛି । ବାସ୍ତବିକ୍ ଲିଜ୍ ! ଏହା ଏକାନ୍ତ ଅସହ୍ୟ ।’’

 

ଲିସାବେତା ତା’ କୋଠରିକୁ ଦୌଡ଼ିଗଲା ।

 

ମାତ୍ର ଦୁଇମିନିଟ୍‌ ଅତିବାହିତ ହେବା ପୂର୍ବରୁ କାଉଣ୍ଟେସ୍‌ ତାଙ୍କର ସମସ୍ତ ଶକ୍ତି ଖର୍ଚ୍ଚକରି କଲିଂବେଲ୍ ବଜାଇଲେ । ଘଣ୍ଟି ଶୁଣି ତିନିଜଣଯାକ ପରିଚାରିକା ଏବଂ ଯୋତା ପିନ୍ଧାଳିଟା ଧାଇଁ ଆସିଲେ ।

 

‘‘ମୁଁ ତମମାନଙ୍କୁ ଡାକିବା ମାତ୍ରେ ତମେ ସବୁ କ’ଣ ସଙ୍ଗେ ସଙ୍ଗେ ଆସିପାରୁନ ?’’ କାଉଣ୍ଟେସ୍‌ ଚିତ୍କାର କରି କହିଲେ । ‘‘ଲିସାବେତାକୁ କହି ଦିଅଯେ ମୁଁ ତାକୁ ଅପେକ୍ଷା କରି ବସିଛି ।’’

 

ଲିସାବେତା ଇଭାନୋଭ୍‍ନା ତା’ର ଢିଲା ପୋଷାକ ଓ ମୁଣ୍ଡରେ ଟୋପି ପିନ୍ଧି ଆସି ପହଞ୍ଚିଲା ।

 

ତାକୁ ଚାହିଁ କାଉଣ୍ଟେସ୍‌ କହିଲେ, ‘‘ଶେଷରେ ତୁ ଏମିତି ପୋଷାକ ପିନ୍ଧି ଆସିଲୁ ? .....ହେଲେ କାହିଁକି ? ତୁ କାହାକୁ ଜୟ କରିବାକୁ ଯାଉଛୁକି ? .....ଆଚ୍ଛା; ପାଗଟା କିମିତି ଅଛି ? ମେଘୁଆ ପାଗ ଭଳି ମନେହେଉଛି ।’’

 

‘‘ନା ଆଜ୍ଞା । ପାଗ ଖୁବ୍‌ ଚମତ୍କାର ଅଛି ।’’ ଯୋତା ପିନ୍ଧାଳି ଉତ୍ତର ଦେଲା ।

 

‘‘ତୋ ମୁଣ୍ଡରେ ହଠାତ୍‌ ଯାହା ଗୋଟେ ପଶିଯାଏ ତୁ ସବୁବେଳେ ସେହି କଥା କହୁଥାଉ-। ଝରକାଟା ଖୋଲିଦିଏତ । ମୁଁ ଭଲଭାବରେ ଜାଣେ ଯେ ଅଳ୍ପ ସମୟ ପୂର୍ବେ ପବନ ବହୁଥିଲା ଏବଂ ସେ ପବନ ଖୁବ୍‌ ଥଣ୍ଡା ଥିଲା । .....ଗାଡ଼ିଟା ଫେରାଇ ଦିଅ ।’’

 

ତା’ପରେ ସେ ଲିସାବେତା ଉଦ୍ଦେଶ୍ୟରେ କହିଲେ, ‘‘ଲିଜ୍‌ ଆମେ ଆଉ ବୁଲି ଯିବାନି । ତୁ ପୋଷାକ ପିନ୍ଧି ପ୍ରସ୍ତୁତ ହେବା ଆଉ ଆବଶ୍ୟକ ନାହିଁ ।’’

 

‘‘ଏଇଟାହିଁ ମୋର ଜୀବନ !’’ ଲିସାବେତା ଇଭାନୋଭ୍‍ନା ମନେ ମନେ ଭାବିଲା ।

 

ସତ କହିବାକୁ ଗଲେ ଲିସାବେତା ଇଭାନୋଭ୍‍ନା ଖୁବ୍‌ ଦୁଃଖିନୀ । ଦାନ୍ତେ କହିଛନ୍ତି ଯାଚିକରି ଦେବା ରୁଟି ପିତା ଓ ଅଜଣା ଘରର ପାହାଚ ସବୁ ଉଚ୍ଚ । କିନ୍ତୁ ଜଣେ ସମ୍ଭ୍ରାନ୍ତ ବୃଦ୍ଧା ମହିଳାଙ୍କ ଉପରେ ନିର୍ଭର କରୁଥିବା ଗୋଟିଏ ଗରିବ ତରୁଣୀ ଜୀବନର ତିକ୍ତତା ବିଷୟ କିଏ ବା ଜାଣେ ?

 

ପ୍ରକୃତରେ କାଉଣ୍ଟେସ୍‌ଙ୍କର କୌଣସି ଖରାପ ସ୍ୱଭାବ ନଥିଲା । କିନ୍ତୁ ସେ ଖୁବ୍‌ ଖାମ୍‍ଖିଆଲି ଥିଲେ ଏବଂ ତତ୍‌କାଳୀନ ନଷ୍ଟ ସମାଜର ଏକଦା ପ୍ରିୟପାତ୍ରୀ ସମସ୍ତ ମହିଳାଙ୍କ ଭଳି ଯଥେଷ୍ଟ ସ୍ୱାର୍ଥପର ଓ କୃପଣା ଥିଲେ । ସେ ଆଭିଜାତ୍ୟ ପୂର୍ଣ୍ଣ ସମାଜର ସମସ୍ତ ପ୍ରକାର ଆମୋଦ ପ୍ରମୋଦରେ ଭାଗ ନେଉଥିଲେ ଏବଂ ପୁରୁଣା ଫେସନ୍ ଅନୁଯାୟୀ ଗାଲରେ ପାଉଡ଼ର ମାରି ବଲ୍‍ରୁମ୍‌ର ଗୋଟାଏ କଣରେ ବସି ରହୁଥିଲେ । ସେ ଥିଲେ ବଲ୍‍ରୁମ୍‌ର ସବୁଠାରୁ ଆକର୍ଷଣୀୟା । ନୂଆକରି ଆସୁଥିବା ଅତିଥିମାନେ ତାଙ୍କ ସାମ୍ନାରେ ମୁଣ୍ଡ ନୁଆଇଁ କୌଣସି ଏକ ପ୍ରତିଷ୍ଠିତ ଦେବତାଙ୍କୁ ସମ୍ମାନ କଲାଭଳି ସମ୍ମାନ ଦେଖାଉଥିଲେ । କିନ୍ତୁ ପରେ ପରେ କେହି ହେଲେ ତାଙ୍କ ପ୍ରତି ଦୃଷ୍ଟି ଦେଉ ନ ଥିଲେ । ତାଙ୍କରି ଘର ଭିତରେ ସେ ସହରର ସମସ୍ତଙ୍କୁ ସ୍ୱାଗତ କରି ସେମାନଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ । କିନ୍ତୁ ଅତିଥିମାନଙ୍କ ମଧ୍ୟରୁ କାହାରିକୁ ଚିହ୍ନି ପାରିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ଆଜିକାଲି ତାଙ୍କ ଘରର ଚାକରମାନେ ନିଜ ଇଚ୍ଛା ଅନୁଯାୟୀ କାମ କରୁଥିଲେ ଓ ବୃଦ୍ଧା କାଉଣ୍ଟେସ୍‌ଙ୍କୁ ତିଳ ତିଳ କରି ଲୁଟି ନେଉଥିଲେ । କିନ୍ତୁ ଲିସାବେତା ଇଭାନୋଭ୍‍ନା ଥିଲା ଗୋଟିଏ ଘରୋଇ ସହୀଦ୍‌ । ସେ ଚା ତିଆରିବା ସମୟରେ ଚିନି ନଷ୍ଟ କରୁଥିବା ଯୋଗୁ ଗାଳି ଶୁଣୁଥିଲା । ସେ କାଉଣ୍ଟେସ୍‌ଙ୍କୁ ଉପନ୍ୟାସ ପଢ଼ି ଶୁଣାଉଥିଲା ଏବଂ ଲେଖକଙ୍କର ଭୁଲ୍‍ ଯୋଗୁ ନିଜେ ଗାଳି ଶୁଣୁଥିଲା । ସେ ବୃଦ୍ଧା କାଉଣ୍ଟେସ୍‌ଙ୍କ ସହ ଗାଡ଼ିରେ ବୁଲି ଯାଉଥିଲା ଏବଂ ପାଗ ଓ ରାସ୍ତାର ଅବସ୍ଥା ସମ୍ବନ୍ଧରେ ଉତ୍ତର ଦେବାକୁ ବାଧ୍ୟ ହେଉଥିଲା । ସେ ଦରମା ନେବ ବୋଲି ସ୍ଥିର ହୋଇଥିଲା ମାତ୍ର ଥରେ ହେଲେ ସମ୍ପୂର୍ଣ୍ଣ ଦରମା ନେଇ ନ ଥିଲା । ଏସବୁ ସତ୍ତ୍ୱେ ବି ସେ ସବୁ ସମୟରେ ଅନ୍ୟମାନଙ୍କ ଭଳି ପୋଷାକ ପିନ୍ଧିବ ବୋଲି ଆଶା କରାଯାଉଥିଲା । ସମାଜରେ ତା’ର ଭୂମିକା ଥିଲା ଖୁବ୍‌ ଦୟନୀୟ । ....ସମସ୍ତେ ତାକୁ ଜାଣନ୍ତି ମାତ୍ର କେହି ତା’ ପ୍ରତି ଦୃଷ୍ଟି ଦିଅନ୍ତିନି । ବଲ୍‍ରୁମରେ ନାଚିବା ଲାଗି ଝିଅର ଅଭାବ ହେଲେ ତାକୁ ନାଚିବାକୁ ପଡ଼େ । ତେଣୁ ସେ ସର୍ବଦା ନିଜର ଅବସ୍ଥା ବିଷୟରେ ସଚେତନ ହୋଇ ଯଥେଷ୍ଟ ଭାବପ୍ରବଣା ଓ ଅଧର୍ଯ୍ୟା ହୋଇ ବସି ରହିଥାଏ । ....ଯଦିଓ ଲିସାବେତା ଇଭାନୋଭ୍‍ନା ବଲ୍‌ଘରେ ନାଚୁଥିବା ଶିଥିଳା ବୃଦ୍ଧାମାନଙ୍କ ଅପେକ୍ଷା ଯଥେଷ୍ଟ ସୁନ୍ଦରୀ ଓ ଆକର୍ଷଣୀୟା ଥିଲା ତଥାପି ତା’ପ୍ରତି କୌଣସି ଯୁବକ ଦୃଷ୍ଟି ଦେଉ ନଥିଲେ । ସୁସଜ୍ଜିତ ବୈଠକଖାନାରୁ ନୀରବରେ ଦୂରେଇ ଯାଇ ତା’ ଛୋଟ କୋଠରିଟି ଭିତରେ ବହୁବାର କାନ୍ଦିଛି । ତା’ ଛୋଟ କୋଠରିର କାଗଜ ପରଦା, ଭର୍ଚ୍ଚା ଡ୍ରୟର, ସାନ ଦର୍ପଣ, ଛପା ବିଛଣା ଚଦର ଆଉ ପିତଳ ବଇଠା ଉପରେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ମହମବତି ସାମ୍ନାରେ ସେ କେତେଥର ନ କାନ୍ଦିଛି ସତେ !

 

ଏହି କାହାଣୀରେ ବର୍ଣ୍ଣିତ ସନ୍ଧ୍ୟାର ଦିନେ ଦୁଇଦିନ ପରେ ଏବଂ ବର୍ତ୍ତମାନ ଘଟିଥିବା ଘଟଣା ସବୁର ଏକ ସପ୍ତାହ ପୂର୍ବରୁ ଦିନେ ଲିସାବେତା ଇଭାନୋଭ୍‌ନା ଝରକା ନିକଟରେ ଏମ୍ବ୍ରଡରୀ ଫ୍ରେମ୍‌ଟି ଉପରେ ଝୁଙ୍କିପଡ଼ି କ’ଣ ସିଲେଇ କରିବାରେ ବ୍ୟସ୍ତ ଥିଲା । ହଠାତ୍‌ ରାସ୍ତାକୁ ଚାହିଁ ଦେଖିଲା ଇଞ୍ଜିନିୟର ରେଜିମେଣ୍ଟର ପୋଷାକ ପିନ୍ଧିଥିବା ଜଣେ ଯୁବକ ସେହି ଝରକା ଆଡ଼େ ନିଶ୍ଚଳ ଭାବରେ ଚାହିଁ ରହିଛନ୍ତି । ସେ ମୁଣ୍ଡ ନୁଆଇଁ କାମରେ ମନଦେଲା । ପାଞ୍ଚ ମିନିଟ୍‌ ପରେ ପୁଣିଥରେ ରାସ୍ତାକୁ ଚାହିଁଲା । ତରୁଣ ଅଫିସରଟି ପୂର୍ବଭଳି ସେଠାରେ ଛିଡ଼ା ହୋଇଥିଲେ । ରାସ୍ତାରେ ଯାଉଥିବା ଅଫିସରମାନଙ୍କ ସହ ହାଲୁକା ଭାବରେ ପ୍ରେମ କରିବାରେ ଅଭ୍ୟସ୍ତା ନଥିବାରୁ ଲିସାବେତା ରାସ୍ତା ଉପରୁ ଦୃଷ୍ଟି ଫେରାଇ ଆଣି ପ୍ରାୟ ଘଣ୍ଟାଏ ଦୁଇଘଣ୍ଟା ପର୍ଯ୍ୟନ୍ତ ତଳକୁ ମୁହଁପୋତି ସିଲେଇରେ ମନଦେଲା । ଖାଇବାକୁ ବଢ଼ାହେବା ପରେ ଏମ୍ବ୍ରଡରୀ ଫ୍ରେମ୍‌ଟିକୁ ରଖି ଛିଡ଼ାହୋଇ ବାହାରକୁ ଚାହିଁ ଦେଖିଲା ଅଫିସର ଜଣକ ସେତେବେଳ ପର୍ଯ୍ୟନ୍ତ ମଧ୍ୟ ଛିଡ଼ା ହୋଇଛନ୍ତି । ଏ ସବୁ ତାକୁ ଖୁବ୍‌ ବିଚିତ୍ର ଜଣାଗଲା । ଖାଇସାରି କିମିତି ଅସୁସ୍ଥ ଭାବ ନେଇ ସେ ଝରକା ନିକଟକୁ ଗଲା । ମାତ୍ର ଅଫିସର ଆଉ ସେଠାରେ ନ ଥିଲେ । ତା’ପରେ ସେ ତାଙ୍କ କଥା ଭୁଲି ଯାଇଥିଲା....

 

ଦୁଇଦିନ ପରେ କାଉଣ୍ଟେସ୍‌ଙ୍କ ସହ ବୁଲି ଯିବା ଲାଗି ଘୋଡ଼ା ଗାଡ଼ିରେ ବସିବାବେଳେ ଲିସାବେତା ପୁନର୍ବାର ତାଙ୍କୁ ଦେଖିଥିଲା । ସେ ଡାହାଣ ପାଖର ବାରଣ୍ଡା ଉପରେ ଛିଡ଼ା ହୋଇଥିଲେ । ଶିରସ୍ତ୍ରାଣ ଆବରଣର କିଛି ଅଂଶ ତାଙ୍କର ମୁହଁକୁ ଢାଙ୍କି ରଖିଥିଲା ଏବଂ ଟୋପି ତଳୁ କଳା ଆଖି ଦୁଇଟା ଜୁଳୁ ଜୁଳୁ ହୋଇ ଚାହିଁ ରହିଥିଲା । ଲିସାବେତା ତା’ର ଅଜାଣତରେ ସତର୍କ ହୋଇଗଲା ଏବଂ ଶରୀରରେ ଏକ ଅସ୍ପଷ୍ଟ କମ୍ପନ ଅନୁଭବ କଲା । ତା’ପରେ ସଙ୍ଗେ ସଙ୍ଗେ ସେ ଗାଡ଼ିରେ ବସିପଡ଼ିଲା ।

 

ଘରକୁ ଫେରିବା ମାତ୍ରେ ଲିସାବେତା ଝରକା ନିକଟକୁ ଦୌଡ଼ିଗଲା ।

 

ଅଫିସରଟି ତାଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ଛିଡ଼ା ହୋଇଥିଲେ । ତାଙ୍କ ଦୃଷ୍ଟି ଆସି ଲିସାବେତା ଉପରେ ଆବଦ୍ଧ ହେଲା । ଲିସାବେତା ସେଠାରୁ ଚାଲିଗଲା । ଏଭଳି ଉତ୍କଣ୍ଠା ଓ ଆକୁଳତାର ଆଲୋଡ଼ନ ତା’ପକ୍ଷେ ସମ୍ପୂର୍ଣ୍ଣ ନୂଆ ଥିଲା ।

 

ସେହି ଦିନଠାରୁ ଏଭଳି ଗୋଟିଏ ଦିନ ଅତିବାହିତ ହୋଇ ନାହିଁ ଯେଉଁଦିନକି ଏକ ନିର୍ଦ୍ଦିଷ୍ଟ ସମୟରେ ତରୁଣ ଅଫିସର ଜଣକ ଝରକା ସାମ୍ନା ରାସ୍ତା ଉପରେ ଦେଖାଦେଇ ନାହାନ୍ତି । ...କ୍ରମଶଃ ଉଭୟଙ୍କ ମଧ୍ୟରେ ଏକ ବିଚିତ୍ର ସଂପର୍କ ମୁଣ୍ଡ ଟେକିଲା । ନିଜ କାମରେ ବ୍ୟସ୍ତ ଥାଇ ମଧ୍ୟ ଲିସାବେତା ହଠାତ୍‌ ତରୁଣ ଅଫିସରଙ୍କର ଉପସ୍ଥିତି ଅନୁଭବ କରି ମୁଣ୍ଡ ଟେକି ଚାହେଁ । ପ୍ରତିଦିନ ଅଧିକ ସମୟ ପାଇଁ ତା’ ଆଖି ସେହି ତରୁଣ ଅଫିସରଙ୍କ ଉପରେ ଅଟକି ରହେ । ତରୁଣ ଅଫିସର ଏଥିଲାଗି ଲିସାବେତା ପ୍ରତି କୃତଜ୍ଞ ହେଲାଭଳି ଜଣାଯାଆନ୍ତି । ଯେତେବେଳେ ଉଭୟଙ୍କ ଆଖି ମିଶିଯାଏ ସେତେବେଳେ ଲିସାବେତା ଯୌବନର ଜିଜ୍ଞାସୁ ଆଖି ନେଇ ତରୁଣ ଅଫିସରଙ୍କ ନିସ୍ତଭ ଗଣ୍ଡଦେଶକୁ ଢାଙ୍କି ରଖିଥିବା ଗୋଲାପି ଚିହ୍ନଟିକୁ ଚାହିଁ ରହେ । ...ସପ୍ତାହଟାଏ ଅତିବାହିତ ହେବା ପରେ ଲିସାବେତା ହସର ଇସାରାରେ ତାଙ୍କୁ ସ୍ୱାଗତ ଜଣାଇବାକୁ ଲାଗିଲା–

 

କାଉଣ୍ଟେସ୍‌ଙ୍କ ସହ ତାଙ୍କର ବନ୍ଧୁଙ୍କୁ ପରିଚିତ କରାଇବା ଲାଗି ଟମସ୍କି ଅନୁମତି ମାଗିବା ସମୟରେ ବିଚାରୀ ଲିସାବେତାର ହୃଦୟ ଅଧିକ ଜୋରରେ ସ୍ପନ୍ଦିତ ହୋଇ ଉଠିଥିଲା । କିନ୍ତୁ ଯେତେବେଳେ ସେ ଜାଣିପାରିଲା ଯେ ନାରୁମୋଭ୍‌ ଇଞ୍ଜିନିୟର ନୁହନ୍ତି ଅଶ୍ୱାରୋହୀ, ସେତେବେଳେ ସେ ଦୁଃଖିତା ହୋଇଥିଲା । କାରଣ ତା’ର ମନେହେଲା ଯେ ତା’ର ଏହି ଅଦୂରଦର୍ଶୀ ପ୍ରଶ୍ନଦ୍ୱାରା ସେ ହୁଏତ ବୁଦ୍ଧିମାନ ଟମସ୍କିକୁ ତା’ର ସମସ୍ତ ଗୋପନୀୟ କଥା କହିଦେଇଛି ।

 

ଋଷିୟ ନାଗରୀକତ୍ୱ ଗ୍ରହଣ କରିଥିବା ଜନୈକ ଜର୍ମାନଙ୍କର ପୁଅ ହେର୍‍ମାନ୍‌ । ତାଙ୍କ ବାପା ମୃତ୍ୟୁ ପୂର୍ବରୁ ଖୁବ୍‌ କମ୍‌ ପରିମାଣର ସମ୍ପତ୍ତି ଛାଡ଼ି ଯାଇଥିଲେ । ସ୍ୱାଧୀନବାଦୀ ହେର୍‍ମାନ୍‌ ବାପାଙ୍କ ଧନର ସୁଧକୁ ସୁଦ୍ଧା ନ ଛୁଇଁ ନିଜ ଦରମା ଉପରେ ନିର୍ଭର କରି ଚଳନ୍ତି । ଯଦିଓ ସେ ଖୁବ୍ ସଂଜତ ଓ ଉଚ୍ଚାଭିଳାସୀ ଥିଲେ ତଥାପି ତାଙ୍କର ବନ୍ଧୁମାନେ ସମୟ ସମୟରେ ତାଙ୍କ ମିତବ୍ୟୟୀତା ପ୍ରତି ଉପହାସ କରୁଥିଲେ । ସେ ଖୁବ୍‌ ଭାବପ୍ରବଣ ଓ କଳ୍ପନା ବିଳାସୀ ଥିଲେ ମଧ୍ୟ ଚାରିତ୍ରିକ ଦୃଢ଼ତା ତାଙ୍କୁ ଯୌବନର ସାଧାରଣ ଭୁଲ୍‌ ବାଟରୁ ଯଥେଷ୍ଟ ଦୂରରେ ରଖିଥିଲା । ତେଣୁ ଜୁଆଡ଼ି ପ୍ରକୃତିର ହୋଇଥିଲେ ମଧ୍ୟ ତାଙ୍କ ଭାଗ୍ୟ ଏ ଦିଗରେ ସାହାଯ୍ୟ କରିବନି ବୋଲି ଭାବି ସେ କେବେହେଲେ ଜୁଆ ଖେଳନ୍ତିନି । (ସେ ନିଜେ କହନ୍ତି...ଅନାବଶ୍ୟକୀୟ ପରିମାଣର ଅର୍ଥ ଆଶାରେ ଆବଶ୍ୟକୀୟ ପରିମାଣର ଅର୍ଥକୁ ବିସର୍ଜନ କରିବା ମୋ’ ପକ୍ଷେ ଅସମ୍ଭବ ।) ତେଣୁ ସେ ଅନିଦ୍ରା ହୋଇ ଦେହରେ ଜରୁଆ ଉତ୍ତେଜନା ନେଇ ରାତିସାରା ଖେଳ ଟେବୁଲ୍‍ ନିକଟରେ ବସି ଖେଳ ଦେଖନ୍ତି ।

 

ଟମସ୍କିକଙ୍କଠାରୁ ଶୁଣିଥିବା ତିନୋଟି ତାସ୍‌ର କାହାଣୀ ତାଙ୍କର ଚିନ୍ତାଶକ୍ତିକୁ ଭୟଙ୍କର ଭାବରେ ପ୍ରଭାବିତ କରିଥିଲା ଏବଂ ରାତିସାରା ଚେଷ୍ଟାକରି ମଧ୍ୟ ସେ ମୁଣ୍ଡଭିତରୁ ସେହି ଚିନ୍ତାଧାରାକୁ ବାହାର କରିପାରି ନ ଥିଲେ ।

 

ପରଦିନ ରାତିରେ ପିଟର୍ସବର୍ଗର ରାସ୍ତାରେ ବୁଲୁ ବୁଲୁ ସେ ମନକୁ ମନ କହୁଥିଲେ; ‘‘ଯଦି ବୃଦ୍ଧା କାଉଣ୍ଟେସ୍‌ ମତେ ସେହି ତିନୋଟି ତାସ୍‌ର ରହସ୍ୟ କହିଦେବେ ତେବେ ମୁଁ କାହିଁକି ମୋ’ ଭାଗ୍ୟପରୀକ୍ଷା ନ କରିବି ? ମୁଁ ତାଙ୍କ ନିକଟକୁ ଯାଇ ମୁଁ ତାଙ୍କର ସ୍ନେହ ଓ ଦୟାର ପାତ୍ର ହେବି–ଆବଶ୍ୟକ ହେଲେ ତାଙ୍କର ପ୍ରେମିକ ପାଲଟି ଯିବି...କିନ୍ତୁ ଏହା ଯେ ସମୟ ସାପେକ୍ଷ ! ବର୍ତ୍ତମାନ କାଉଣ୍ଟେସ୍‌ଙ୍କ ବୟସ ସତାଅଶୀ । ଆସନ୍ତା ସପ୍ତାହରେ କିମ୍ୱା ଯେ କୌଣସି ମୁହୂର୍ତ୍ତରେ ସେ ହୁଏତ ମରିଯାଇ ପାରନ୍ତି ! ...ହେଲେ ଏହି କାହାଣୀଟି କ’ଣ ପ୍ରକୃତରେ ବିଶ୍ୱାସ ଯୋଗ୍ୟ ? ନାଁ, ଆଦୌ ନୁହେଁ । ସବୁ ମିଛ । ‘ସାବଧାନତା’ ‘ସଞ୍ଜମ’ ଓ ‘ଅଧ୍ୟବସାୟ’ ଏହି ତିନୋଟି ମାତ୍ର ମୋ’ର ବିଶ୍ୱସ୍ତ ତାସ୍‌ । ଏହାକୁ ନେଇ ମୁଁ ମୋ’ ଭାଗ୍ୟ ପରୀକ୍ଷା କରିବି ଏବଂ ମୋର ସମ୍ପତ୍ତିକୁ ସାତଗୁଣ କରି ସ୍ୱାଧୀନ ଭାବରେ ଶାନ୍ତିରେ ରହିବି ।’’

 

ଏହିଭଳି ଚିନ୍ତାକରି ଅନ୍ୟମନସ୍କ ଭାବରେ ବୁଲୁ ବୁଲୁ ପିଟର୍ସବର୍ଗର ପ୍ରଧାନ ରାସ୍ତାରେ ଏକ ପୁରାତନ ଭାସ୍କର୍ଯ୍ୟ ବିମଣ୍ଡିତ ଗୃହ ସାମ୍ନାରେ ହେର୍‌ମାନ୍‌ ନିଜକୁ ଆବିଷ୍କାର କଲେ । ସେତେବେଳକୁ ରାସ୍ତାରେ ଅନେକ ଗୁଡ଼ାଏ ଗାଡ଼ି ଭିଡ଼ ଜମାଇଥିଲେ ଏବଂ ଉଜ୍ଜ୍ୱଳ ଆଲୋକଦ୍ୱାରା ଆଲୋକିତ ବାରଣ୍ଡା ନିକଟରେ ଗୋଟାକ ପରେ ଗୋଟାଏ ଛିଡ଼ା ହେଉଥିଲେ । ଗାଡ଼ି ଭିତରୁ ବ୍ୟାଲେରୀନାମାନଙ୍କର ଚଞ୍ଚଳ ପାଦ ଓ ଯ୍ୟାକବୁଟ୍‌ ପିନ୍ଧା କେତେଗୁଡ଼ାଏ ପାଦ ତରତର ହୋଇ ଓହ୍ଲାଇ ଘର ଭିତରେ ପଶୁଥିଲେ । ହେର୍‌ମାନ୍‌ ନିଶ୍ଚଳ ହୋଇ ଠିଆହୋଇ ରହିଲେ ।

 

କିଛି ସମୟ ପରେ, ରାସ୍ତାର ଗୋଟାଏ କଡ଼ରେ ଠିଆ ହୋଇଥିବା ସଶସ୍ତ୍ର ମିଲିଟାରୀ ଲୋକଟି ନିକଟକୁ ଯାଇ ପଚାରିଲେ, ‘‘ଏଇଟା କାହା ଘର ?’’

 

‘‘କାଉଣ୍ଟେସ୍‌ଙ୍କ ଘର’’ ମିଲିଟାରୀ ଲୋକଟି ଉତ୍ତର ଦେଲା ।

 

ହେର୍‌ମାନ୍‌ ଦ୍ୱନ୍ଦ୍ୱରେ ପଡ଼ିଲେ । ତିନୋଟି ବିଜୟୀ ତାସ୍‌ଙ୍କର ସେହି ଚମତ୍କାର କାହାଣୀଟି ପୁନର୍ବାର ତାଙ୍କ ମନରେ ଉଙ୍କିମାରିଲା । ସେହି ଘରଟିର ଅଧିକାରିଣୀ ଏବଂ ତାଙ୍କର ଅଦ୍ଭୁତ ଶକ୍ତି ବିଷୟରେ ଚିନ୍ତା କରୁ କରୁ ସେହି ଘର ସାମ୍ନାରେ ଇତଃସ୍ତତଃ ବୁଲିବାକୁ ଲାଗିଲେ ।

 

ସେଦିନ ସେ ଯଥେଷ୍ଟ ବିଳମ୍ୱରେ ଘରକୁ ଫେରିଲେ ଏବଂ ଅନିଦ୍ରା ହୋଇ ବିଛଣା ଉପରେ ପଡ଼ି ସେହି ଅଦ୍ଭୁତ ତାସ୍‌ ତିନୋଟି କଥା ଭାବିଥିଲେ ।

 

ଶୋଇଯିବା ପରେ ସେ ସ୍ୱପ୍ନ ଦେଖିଲେ । ତାସ୍‌ର ସ୍ୱପ୍ନ । ପଶମ୍‌ କନାରେ ଆବୃତ ଟେବୁଲ୍‌ ଉପରେ ଗଦା ଗଦା ଟଙ୍କା, ଗଦା ଗଦା ସୁନା ମୋହରର ସ୍ୱପ୍ନ । ଗୋଟାଏ ପରେ ଗୋଟାଏ ତାସରେ ସେ ବାଜି ଲଗାଇ ଚାଲିଲେ ଏବଂ ଦୃଢ଼ ଭାବରେ ପ୍ରତିଥରର ବାଜିକୁ ଦ୍ୱିଗୁଣିତ ଓ ଚତୁର୍ଗୁଣିତ କରି ବାରମ୍ୱାର ଜିଣିଲେ ।

 

ପରଦିନ ସକାଳେ ସେ ବିଳମ୍ୱରେ ଉଠି ଗତ ରାତିର ଅବାନ୍ତର ସ୍ୱପ୍ନ ଲାଗି ଦୁଃଖିତ ହେଲେ । ତା’ପରେ ସେ ପୁର୍ନବାର ସହର ଭିତରକୁ ବୁଲିଯାଇ କାଉଣ୍ଟେସ୍‌ଙ୍କ ଘର ସାମ୍ନାରେ ନିଜକୁ ଆବିଷ୍କାର କଲେ । ଗୋଟାଏ ଖୁବ୍‌ ରହସ୍ୟମୟ ଶକ୍ତି ପ୍ରତିଦିନ ତାଙ୍କୁ ସେଠାକୁ ଟାଣି ନେଉଥିଲା । ସେ ରାସ୍ତା କଡ଼ରେ ଛିଡ଼ା ହୋଇ ଅପଲକ ନୟନରେ କାଉଣ୍ଟେସ୍‌ଙ୍କ ଘରର ଝରକା ଆଡ଼େ ଚାହିଁ ରହୁଥିଲେ । ସେହି ଝରକା ଦେଇ ଦିନେ ସେ ଆବିଷ୍କାର କରିଥିଲେ ତଳକୁ ମୁହଁ ପୋତି କାର୍ଯ୍ୟବ୍ୟସ୍ତ ଥିବା ଗୋଟିଏ ଯୁବତୀକୁ । ଯୁବତୀଟି ମୁଣ୍ଡ ଉଠାଇଲା । ହେର୍‍ମାନ୍‌ ଦେଖିପାରିଲେ ଯୌବନ ଭରା ଏକ ଆକର୍ଷଣୀୟ ମୁଖମଣ୍ଡଳ ଓ ଦୁଇଟି କଳା ଡୋଳାର ଲୋଭନୀୟ ଚାହାଣି । ସେହି ମୁହୂର୍ତ୍ତରେ ହେର୍‍ମାନ୍‌ ନିଜର ଭାଗ୍ୟ ସ୍ଥିର କରିନେଲେ ।

 

ତିନି

 

କାଉଣ୍ଟେସ୍‌ ପୁନର୍ବାର ଗାଡ଼ି ଆଣିବାଲାଗି ଆଦେଶ ଦେଲେ । ଅନିଚ୍ଛା ସତ୍ତ୍ୱେ ବି ଲିସାବେତା ତା’ର ଢିଲା ଜାମା ଓ ଟୋପି ପିନ୍ଧି ବୁଲିଯିବା ଲାଗି ପ୍ରସ୍ତୁତ ହେଲା । ତା’ପରେ ସେମାନେ ଗାଡ଼ିରେ ବସିବାପାଇଁ ବାହାରକୁ ଗଲେ । ଯୋତା ପିନ୍ଧାଳି ଦୁହେଁ ବୃଦ୍ଧା କାଉଣ୍ଟେସ୍‌ଙ୍କୁ ଟେକିନେଇ ଗାଡ଼ି ଭିତରେ ବସାଇବା ସମୟରେ ଲିସାବେତା ଦେଖିଲା ତା’ର ପ୍ରିୟ ଇଞ୍ଜିନିୟର ଗାଡ଼ିର ଚକ ନିକଟରେ ଛିଡ଼ା ହୋଇଛନ୍ତି । ସେ ଲିସାବେତାର ହାତକୁ ନିଜର ଦୁଇ ହାତର ପାପୁଲିରେ ଚାପି ଧରିଲେ । ଲିସାବେତା ଭୟରେ ବୋକା ପାଲଟିଗଲା । ମୁହୂର୍ତ୍ତକ ମଧ୍ୟରେ ସେ ଚାଲିଗଲେ କିନ୍ତୁ ଲିସାବେତା ହାତରେ ରଖିଦେଇ ଗଲେ ଖଣ୍ଡିଏ ଚିଠି । ଲିସାବେତା ଚିଠିଟିକୁ ଲୁଚାଇ ରଖିଲା । ଗାଡ଼ି ଚାଲିଲା । କିନ୍ତୁ ଲିସାବେତା ଗାଡ଼ିରେ ବସି ବୁଲିବା ସମୟରେ କିଛି ଦେଖୁନଥିଲା ବା କିଛି କହୁନଥିଲା । ବୁଲିଯିବା ସମୟରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବାତ କାଉଣ୍ଟେସ୍‌ଙ୍କର ଅଭ୍ୟାସ । ସେ ପଚାରୁଥାଆନ୍ତି, ‘‘ଯାଉଥିବା ଲୋକଟା କିଏ ? ...ସେ ପୋଲଟାର ନାଁ କ’ଣ ? ସେ ଚିହ୍ନ ଦେହରେ କ’ଣ ଲେଖାହୋଇଛି ? ...ଅନେକ ପ୍ରଶ୍ନ ।’’

 

ଲିସାବେତା ତରତର ହୋଇ କାଉଣ୍ଟେସ୍‌ଙ୍କ ପ୍ରଶ୍ନ ସବୁର ଉତ୍ତର ଦେଉଥିଲା । କାଉଣ୍ଟେସ୍‌ ତା’ର ଅର୍ଥହୀନ ଉତ୍ତର ସବୁ ଶୁଣି ବିରକ୍ତ ହୋଇ ପଚାରିଲେ, ‘‘ତୋ’ର କ’ଣ ହେଲା ଲିଜ୍ ? ...କ’ଣ ହଠାତ୍‌ କିଛି ଆଘାତ ପାଇଲୁ କି ? ତୁ କ’ଣ ମୋ’କଥା ଶୁଣିପାରୁନୁ ନାଁ ମୁଁ କ’ଣ କହୁଛି ବୁଝିପାରୁନୁ ?’’

 

ସତ କହିବାକୁ ଗଲେ ଲିସାବେତା କାଉଣ୍ଟେସ୍‌ଙ୍କ କଥାକୁ ଆଦୌ ଶୁଣୁ ନଥିଲା ।

 

ଘରକୁ ଫେରିବା ମାତ୍ରେ ସେ ତା’ କୋଠରିକୁ ଧାଇଁଯାଇ ଚିଠିଟି ଖୋଲି ପଢ଼ିଲା । ଚିଠିଟିରେ ଅନେକ ପ୍ରେମପୂର୍ଣ୍ଣ କଥା ଲେଖା ଯାଇଥିଲା । ଯଦିଓ ତା’ର ପ୍ରାୟ ପ୍ରତିଟି ଶବ୍ଦ ଏକ ଜର୍ମାନ ଉପନ୍ୟାସରୁ ଅନୁବାଦ କରାଯାଇ ଲେଖା ହୋଇଥିଲା ତଥାପି ଲିସାବେତା ଜର୍ମାନ ଜାଣିନଥିବାରୁ ଚିଠିଟି ପଢ଼ି ଅତିମାତ୍ରାରେ ବିହ୍ୱଳିତା ହୋଇପଡ଼ିଲା ।

 

ଚିଠିଟି ତାକୁ ଯଥେଷ୍ଟ ଉତ୍ତେଜିତା କରି ପକାଇଥିଲା । ଜୀବନରେ ପ୍ରଥମ ଥର ଲାଗି ଜଣେ ଯୁବକଙ୍କ ସହ ଗୁପ୍ତ ସଂପର୍କ ରଖିବାଲାଗି ସେ ସମର୍ଥ ହୋଇଛି । କିନ୍ତୁ ଯୁବକଟିର ଉଦ୍ଧତ ଭାବ ତାକୁ ଭୟଭୀତା କରାଇ ଦେଇଥିଲା । ଜଣେ ଅଜଣା ଯୁବକଙ୍କ ସହ ଏଭଳି ସଂପର୍କ ଗଢ଼ି ଉଠିଥିବା ଯୋଗୁ ସେ ନିଜକୁ ଭର୍ତ୍ସନା କଲା ଏବଂ କ’ଣ କରିବ କିଛି ସ୍ଥିର କରିପାରିଲାନି । ମନେ ମନେ ଭାବିଲା କ’ଣ ସେ ଝରକା ନିକଟରେ ବସିବା ବନ୍ଦ କରିଦେବ ? ଏବଂ ଖାପଛଡ଼ା ବ୍ୟବହାର ଦେଖାଇ ତରୁଣ ଅଫିସରଙ୍କର ଉତ୍କଣ୍ଠାର ଅବସାନ ଘଟାଇବ ? କିମ୍ୱା ତାଙ୍କ ଚିଠିଟି ତାଙ୍କୁ ଫେରାଇଦେବ ଅଥବା ସେ ଚିଠି ଲେଖି ତା’ର ଚରମ ସିଦ୍ଧାନ୍ତ ତାଙ୍କୁ ଜଣାଇଦେବ ?

 

ଏ ସଂପର୍କରେ ତାକୁ ପରାମର୍ଶ ବା ଉପଦେଶ ଦେବାଲାଗି ଲିସାବେତାର କୌଣସି ବନ୍ଧୁ ବା ଅଭିଭାବକ ନ ଥିଲେ । ଅନେକ ଭାବିବା ପରେ ପରିଶେଷରେ ସେ ଚିଠିର ଉତ୍ତର ଦେବାଲାଗି ସ୍ଥିରକଲା । ତା’ପରେ ସେ କାଗଜ କଲମ ନେଇ ତା’ର ସାନ ଟେବୁଲ୍‍ଟି ନିକଟରେ ବସିଲା । କିନ୍ତୁ କ’ଣ ଲେଖିବ କିଛି ସ୍ଥିର କରିପାରିଲାନି । ଅନେକ ଥର ଲେଖା ଆରମ୍ଭ କରି ଅଧା ଲେଖି ଚିରି ପକାଇଲା । କେଉଁଥର ସେ ଅତି ଦୟାଶୀଳା ହୋଇ କେଉଁଥର ବା ନିହାତି ରୁକ୍ଷା ହୋଇ ଲେଖୁଥିଲା । ତେଣୁ ସେ ଲେଖା ଆଦୌ ସନ୍ତୋଷଜନକ ନଥିଲା । ତେଣୁ ସେଗୁଡ଼ିକ ଚିରି ପକାଉଥିଲା । ଅବଶେଷରେ ସେ ନିଜେ ସନ୍ତୁଷ୍ଟ ହେବାଭଳି କେଇଧାଡ଼ି ଲେଖିବାଲାଗି ସକ୍ଷମ ହେଲା । ସେ ଲେଖିଥିଲା :–

 

‘‘ମୁଁ ଆପଣଙ୍କର ମହତ୍‌ ଉଦ୍ଦେଶ୍ୟ ଭଲ ଭାବରେ ଜାଣେ ଏବଂ ଆପଣ ଭବିଷ୍ୟତରେ ଏଭଳି ବୁଦ୍ଧିହୀନ ଭାବରେ କାର୍ଯ୍ୟକରି ମତେ ଅସୁବିଧାରେ ପକାଇଦେବେନି ବୋଲି ଆଶାକରେ । ମୁଁ ଆପଣଙ୍କ ଚିଠିଟି ଫେରାଇ ଦେଉଛି । ମୋ’ର ସମ୍ପୂର୍ଣ୍ଣ ବିଶ୍ୱାସ ଆପଣ ଭବିଷ୍ୟତରେ କେବେହେଲେ ଏଭଳି ଅସମ୍ମାନଜନକ କାର୍ଯ୍ୟ କରିବେନି ।’’

 

ପରଦିନ ସକାଳେ ହେର୍‌ମାନ୍‌ ଆସି ଝରକା ସାମ୍ନାରେ ଛିଡ଼ା ହେବାମାତ୍ରେ ଲିସାବେତା ଝରକା ବାଟ ଦେଇ ଚିଠି ଖଣ୍ଡକ ତାଙ୍କ ନିକଟକୁ ଫିଙ୍ଗିଦେଲା । ଚିଠିଟି ତଳେ ପଡ଼ିବାମାତ୍ରେ ହେର୍‍ମାନ୍‌ ଧାଇଁ ଆସି ଚିଠିଟିକୁ ଗୋଟାଇ ନେଲେ ଓ ନିକଟସ୍ଥ ଗୋଟିଏ ଜଳଖିଆ ଦୋକାନକୁ ଯାଇ ଚିଠିଟି ଖୋଲି ତା’ ଭିତରୁ ନିଜ ଚିଠି ସହ ଲିସାବେତାର ଚିଠି ଖଣ୍ଡକ ଦେଖିଲେ । ସେ ତାହାହିଁ ଆଶା କରୁଥିଲେ । ଚିଠିଟି ପଢ଼ିସାରି ନିଜର ଉଦ୍ଧତ ଭାବ ଯୋଗୁ ଗଭୀର ଭାବରେ ଅନୁତପ୍ତ ହୋଇ ଘରକୁ ଫେରିଲେ ।

 

ତିନିଦିନ ପରେ ମହିଳାମାନଙ୍କ ସାମଗ୍ରୀସବୁ ବିକ୍ରି ହେଉଥିବା ଦୋକାନରେ ଚଞ୍ଚଳନୟନା ତରୁଣୀଟି ଲିସାବେତା ଇଭାନୋଭ୍‌ନାକୁ ଖଣ୍ଡେ ଚିଠି ବଢ଼ାଇ ଦେଲା ।

 

ଲଫାପା ଉପରେ ହେର୍‍ମାନ୍‌ର ହାତଲେଖା ଦେଖି ଲିସାବେତା ଉତ୍କଣ୍ଠିତା ହୋଇ ଚିଠିଟି ଖୋଲିଲା । ତାର ଭୟ ହେଉଥିଲା ଯେ ଏହା ହୁଏତ ଏକ ପ୍ରତିଷୋଧମୂଳକ ଚିଠି ହୋଇଥାଇପାରେ ।

 

ସେ ଚିଠି ଧରି ଆସିଥିବା ଝିଅଟିକୁ ଚାହିଁ କହିଲା, ‘‘ବୋଧହୁଏ ତୁମେ ଭୁଲରେ ଏ ଚିଠିଟି ମତେ ଦେଉଛ । ଏଇଟି ମୋ’ର ନୁହେଁ ।’’

 

ଝିଅଟି ଇଷତ୍‌ ହସି କଥାରେ ଜୋର୍‍ ଦେଇ କହିଲା, ‘‘ହଁ, ମୁଁ ଭଲଭାବରେ ଜାଣେ ଯେ ଏଇ ଚିଠିଟି ତୁମରିପାଇଁ । ଦୟାକରି ଥରକପାଇଁ ହେଲେ ଚିଠି ପଢ଼ ।’’

 

ଲିସାବେତା ତରତର ହୋଇ ଚିଠିଟି ପଢ଼ିଲା । ହେର୍‍ମାନ୍‌ ତାଙ୍କସହ ଦେଖା କରିବାଲାଗି ଲିସାବେତାକୁ ବାଧ୍ୟକରି ଚିଠି ଲେଖିଛନ୍ତି ।

 

ଲିସାବେତା ଇଭାନୋଭ୍‍ନା ହେର୍‌ମାନ୍‌ର ବିଚିତ୍ର ଦାବି ଓ ଚିଠି ଲେଖାର ପ୍ରଣାଳୀ ଦେଖି ସତର୍କ ହୋଇ କହିଲା, ‘‘ତୁମେ ଭୁଲରେ ଚିଠିଟା ମତେ ଦେଲ ସିନା ! ଏଇଟା ହୁଏତ ମୋ’ ପାଖୁ ଲେଖା ହେଇନଥିଲା ।’’

 

ତା’ପରେ ସେ ଚିଠିକୁ ଟିକି ଟିକି କରି ଚିରି ପକାଇଲା ।

 

ଏଥର ସେଇ ତରୁଣୀଟି ଆଡ଼କୁ ଚାହିଁ କହିଲା ‘‘ଭବିଷ୍ୟତରେ ତୁମେ ମୋ’ ପାଖୁ ଆଉ କୌଣସି ଚିଠି ଧରି ଆସିବନି ଏବଂ ତୁମକୁ ଚିଠି ଦେଇ ପଠାଇଥିବା ଭଦ୍ରବ୍ୟକ୍ତିଙ୍କୁ କହିବ ସେ ନିଜର ଏତାଦୃଶ କାର୍ଯ୍ୟଲାଗି ଲଜ୍ଜିତ ହେବା ଉଚିତ !...’’

 

ଏସବୁ ସତ୍ତ୍ୱେବି ହେର୍‌ମାନ୍‌ ନିଜ ଚେଷ୍ଟାରୁ ବିରତ ହୋଇ ନଥିଲେ । ପ୍ରତିଦିନ ବିଭିନ୍ନ ମାଧ୍ୟମରେ ସେ ଲିସାବେତା ନିକଟକୁ ଚିଠି ପଠାଇଲେ । ସେଇ ଚିଠିସବୁ ପୂର୍ବଚିଠି ଭଳି ଜର୍ମାନ ଉପନ୍ୟାସରୁ ଧାର୍‌ କରା ଭାଷାର ଅନୁବାଦ ନଥିଲା । ହେର୍‌ମାନ୍‌ ନିଜର ଆବେଗ ଆଉ ଭାବପ୍ରବଣତାଦ୍ୱାରା ପ୍ରଭାବିତ ହୋଇ ସେହି ଚିଠିସବୁ ଲେଖୁଥିଲେ । ଚିଠିଗୁଡ଼ିକରେ ତାଙ୍କର ଅଦମନୀୟ ଆକାଂକ୍ଷା ଓ ଅସୀମ କଳ୍ପନା ବିଳାସୀତା ରୂପ ପାଉଥିଲା । ଲିସାବେତା ଆଉ ସେ ଚିଠିଗୁଡ଼ିକୁ ଫେରାଇ ଦେବାଲାଗି ଚେଷ୍ଟା କଲାନି । ନିଜେ ହେର୍‌ମାନ୍‌ଙ୍କର ସେଇ ଆବେଗପୂର୍ଣ୍ଣ ଚିଠିଗୁଡ଼ିକ ଭିତରେ ହଜିଗଲା ଏବଂ ଉତ୍ତର ଦେବାକୁ ଆରମ୍ଭ କଲା । କ୍ରମଶଃ ତା’ ଚିଠିଗୁଡ଼ିକ ମଧ୍ୟ କ୍ରମଶଃ ଦୀର୍ଘ ଓ ହୃଦୟସ୍ପର୍ଶୀ ହେଲା । ଦିନେ ସେ ଝରକା ବାଟ ଦେଇ ନିମ୍ନଲିଖିତ ଚିଠି ଫିଙ୍ଗିଲା ।

 

‘‘ଆଜି ରାତିରେ ଦୂତାବାସରେ ବଲ୍‌ନାଚ ହେବ । କାଉଣ୍ଟେସ୍‌ ଓ ମୁଁ ସେଠାକୁ ଯିବୁ ଓ ରାତି ଦୁଇଟା ପର୍ଯ୍ୟନ୍ତ ସେଠାରେ ରହିବୁ । ତେଣୁ ମୋ’ସହ ଏକାନ୍ତ ଭାବରେ ଦେଖା କରିବାଲାଗି ଏହା ତୁମ ପକ୍ଷେ ଏକ ସୁବର୍ଣ୍ଣ ସୁଯୋଗ ।

 

କାଉଣ୍ଟେସ୍‌ ଚାଲିଯିବା ମାତ୍ରେ ତାଙ୍କର ଚାକର ଚାକରାଣୀମାନେ ମଧ୍ୟ ଚାଲିଯିବେ । କେବଳ ଦରଓ୍ୱାନ୍‌ଟା ବାରଣ୍ଡା ଉପରେ ଥିବ । ସେ ମଧ୍ୟ ତା’ କୋଠରିକୁ ଚାଲିଯିବ । ତୁମେ ସାଢ଼େ ଏଗାରଟା ବେଳେ ଆସିବ । ସିଧା ଉପର ମହଲାକୁ ଚାଲିଆସିବ । ଯଦି ହଲରେ କାହାକୁ ଦେଖ ତେବେ କାଉଣ୍ଟେସ୍‌ଙ୍କ ସହ ସାକ୍ଷାତ କରିବାପାଇଁ ଆସିଛି ବୋଲି କହିବ । ସେମାନେ କହିବେ ଯେ କାଉଣ୍ଟେସ୍‌ ଘରେ ନାହାନ୍ତି । ତା’ପରେ ତୁମେ କିଛି ନ କହି ସିଧା ଆଗେଇବ । କିନ୍ତୁ ଯେତେଦୂର ମନେହୁଏ କାହା ସହିତ ତୁମର ଦେଖା ହେବନି । ପରିଚାରିକା ସମସ୍ତେ ଏକାଠି ସେମାନଙ୍କ ଘରେ ରହନ୍ତି । ...ତୁମେ ହଲରେ ବାଁ କଡ଼କୁ ବୁଲିଯାଇ କାଉଣ୍ଟେସ୍‌ଙ୍କ ଶୟନ କକ୍ଷରେ ପହଞ୍ଚିବା ପର୍ଯ୍ୟନ୍ତ ସିଧା ଆଗେଇବ । ସେଠାରେ ଦୁଇଟି ସାନ ଦରଜା ସାମ୍ନାରେ ପରଦାଟିଏ ଝୁଲୁଥିବାର ଦେଖିବ । ଡାହାଣ ପାଖ ଦରଜାଟି କାଉଣ୍ଟେସ୍‌ଙ୍କ ପଢ଼ାଘରର । ହେଲେ ସେ ଭୁଲରେ ସୁଦ୍ଧା ସେଠାକୁ ଯାଆନ୍ତିନି । ବାଁ ପାଖର ଦରଜାଦେଇ ଆସିଲେ ଏକ ସଂକୀର୍ଣ୍ଣ ସିଡ଼ି ଦେଖିବ । ସେହି ସିଡ଼ିଟି ମୋ’ କୋଠରି ପର୍ଯ୍ୟନ୍ତ ଲମ୍ୱି ଆସିଛି ।’’

 

ବାଘ ଶିକାର ଉପରକୁ ଝାମ୍ପ ମାରିବା ଲାଗି ପ୍ରସ୍ତୁତ ହେଲାଭଳି ହେର୍‌ମାନ୍‌ ଉଦ୍‌ବିଘ୍ନ ହୋଇ ନିର୍ଦ୍ଦିଷ୍ଟ ସମୟର ଅପେକ୍ଷାରେ ରହିଥିଲେ । ...ରାତି ଦଶଟା ସୁଦ୍ଧା ସେ ଯାଇ କାଉଣ୍ଟେସ୍‌ଙ୍କ ଘର ସାମ୍ନାରେ ପହଞ୍ଚିଲେ । ପାଗଟା ନିହାତି କଦର୍ଯ୍ୟ ଥିଲା । ପ୍ରବଳ ବେଗରେ ପବନ ବହୁଥିଲା ଏବଂ ଖଣ୍ଡ ଖଣ୍ଡ ବରଫ ପଡ଼ୁଥିଲା । ରାସ୍ତାକଡ଼ର ଆଲୋକସବୁ ମିଞ୍ଜିମିଞ୍ଜି ହୋଇ ଜଳୁଥିଲା । ରାସ୍ତାଗୁଡ଼ିକ ଏକରକମ ଜନଶୂନ୍ୟ ହୋଇ ପଡ଼ିଥିଲା । ହେର୍‌ମାନ୍‌ ପତଳା କୋଟ୍‌ଟା ଉପରେ ଆଉ କିଛି ପିନ୍ଧି ନ ଥିଲେ ସୁଦ୍ଧା ପବନ ବା ବରଫ ବିଷୟରେ ଆଦୌ ସଚେତନ ନ ଥିଲେ ।

 

କିଛି ସମୟ ପରେ କାଉଣ୍ଟେସ୍‌ଙ୍କ ଗାଡ଼ି ଆସିଲା । ହେର୍‌ମାନ୍‌ ଦେଖିଲେ କେଇଜଣ ପରିଚାରକ ଅଣ୍ଟା ନଇଁ ଯାଇଥିବା ବୃଦ୍ଧା କାଉଣ୍ଟେସ୍‌ଙ୍କ ଉଭୟ ପାର୍ଶ୍ୱରେ ଭରାଦେଇ ଆଣି ଗାଡ଼ିରେ ବସାଇଲେ । ଲିସାବେତା ମଧ୍ୟ ଗାଡ଼ିରେ ବସିଲା । ତା’ପରେ ଗାଡ଼ିର ଦରଜା ବନ୍ଦ ହେଲା ଓ ରାସ୍ତାରେ ଜମିଥିବା ବରଫର ଆସ୍ତରଣ ଉପରେ ଗାଡ଼ିଟି ଦ୍ରୁତ ଗତିରେ ଆଗେଇବାକୁ ଲାଗିଲା ।

 

ଦରଓ୍ୱାନ୍‌ ଏଥର ଘରର ସାମ୍ନା ଦରଜାଟା ବନ୍ଦକରି ଦେଲା । ଘର ଭିତରେ ଜଳୁଥିବା ଆଲୁଅ ସବୁ ଲିଭିଗଲା । ହେର୍‌ମାନ୍ ନିର୍ଜନ ରାସ୍ତା ଉପରେ ଇତସ୍ତତଃ ବୁଲିବାକୁ ଲାଗିଲେ । ରାସ୍ତାକଡ଼ରେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଗୋଟିଏ ବତି ନିକଟକୁ ଯାଇ ହାତ ଘଡ଼ିକୁ ଚାହିଁଲେ—ଏଗାରଟା କୋଡ଼ିଏ । ସେ ବତି ନିକଟରେ ଠିଆହୋଇ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟାକୁ ଚାହିଁ ଅବଶିଷ୍ଟ କେଇଟି ମିନିଟ୍‌ ବିତିଯିବାର ଅପେକ୍ଷାରେ ରହିଲେ ।

 

ଠିକ୍‌ ସାଢ଼େ ଏଗାରଟାରେ ସେ କାଉଣ୍ଟେସ୍‌ଙ୍କ ଘରର ବାରଣ୍ଡା ଉପରକୁ ଉଠିଲେ ଓ ଉଜ୍ଜ୍ୱଳ ଆଲୋକଦ୍ୱାରା ଆଲୋକିତ ଦରଜା ମଧ୍ୟ ଦେଇ ଘର ଭିତରକୁ ପଶିଲେ । ସେତେବେଳେ ଦରଓ୍ୱାନ୍‌ଟା ସେଠାରେ ନ ଥିଲା । ହେର୍‌ମାନ୍‌ ଏକରକମ ଦୌଡ଼ିଲା ଭଳି ଉପର ମହଲାକୁ ଚାଲିଯାଇ ହଲ୍‌ର ଦରଜା ଖୋଲି ଦେଖିଲେ ଚାକରଟିଏ ଲ୍ୟାମ୍ପଟି ନିକଟରେ ପୁରୁଣା ଚଉକିଟା ଉପରେ ଶୋଇ ଯାଇଛି । ହେର୍‍ମାନ୍‌ ଦୃଢ଼ ଅଥଚ ହାଲୁକା ପାଦରେ ତାକୁ ଅତିକ୍ରମ କରି ଚାଲିଗଲେ । ବଲ୍‌ନାଚ ଘର ଓ ବୈଠକଖାନା ଅନ୍ଧାର ହୋଇଥିଲା । ହେର୍‌ମାନ୍‌ କାଉଣ୍ଟେସ୍‌ଙ୍କ ଶୟନ କକ୍ଷରେ ପଶିଲେ । ପ୍ରାଚୀନ ମୂର୍ତ୍ତି ସବୁରେ ପରିପୂର୍ଣ୍ଣ ଆଲମିରାଟି ସାମ୍ନାରେ ସ୍ୱର୍ଣ୍ଣ ବିମଣ୍ଡିତ ଲ୍ୟାମ୍ପଟିଏ ଜଳୁଥିଲା । ପ୍ୟାରିସ୍‌ର ଶ୍ରୀମତୀ ଲିବର୍ଣ୍ଣଙ୍କଦ୍ୱାରା ଅଙ୍କିତ ଦୁଇଟି ପ୍ରତିଛବି କାନ୍ଥ ଦେହରେ ଝୁଲୁଥିଲା । ସେଥିମଧ୍ୟରୁ ଗୋଟିଏ ଥିଲା ରକ୍ତାଭ ଗଣ୍ଡଦେଶ ବିଶିଷ୍ଟ ଜଣେ ଚାଳିଶବର୍ଷ ବୟସ୍କ ସ୍ୱାସ୍ଥ୍ୟବାନ୍‍ ବ୍ୟକ୍ତିଙ୍କର ଏବଂ ଅପରଟି ଥିଲା ତୀକ୍ଷ୍ଣ ନାସିକା ବିଶିଷ୍ଟା ଗୋଟିଏ ରୂପସୀ ତରୁଣୀର, ଯାହାର ସୁନ୍ଦର କେଶ ବିନ୍ୟାସର ସୌନ୍ଦର୍ଯ୍ୟକୁ ଗୋଲାପ ଫୁଲଟି ଦ୍ୱିଗୁଣିତ କରିଥିଲା । ଘରଟିର ପ୍ରତ୍ୟେକ କଣରେ; ସ୍ତ୍ରୀମାନଙ୍କ ମନୋରଞ୍ଜନ ଲାଗି ପୂର୍ବ ଶତାବ୍ଦୀରେ ନିର୍ମିତ ହୋଇଥିବା ଚିନା ମାଟିର ବହୁବିଧ ଖେଳନା, ଘଣ୍ଟା ଓ ପଙ୍ଖାମାନ ରଖା ଯାଇଥିଲା । ହେର୍‌ମାନ୍‌ ସେ ସବୁକୁ ଅତିକ୍ରମ କରି ପରଦା ଅନ୍ତରାଳକୁ ଚାଲିଗଲେ । ସେଠାରେ ଲୁହାର ଖଟଟିଏ ପଡ଼ିଥିଲା । ତାହାର ଡାହାଣ ପାଖରେ ପଢ଼ାଘରକୁ ରାସ୍ତା ଏବଂ ବାଁ ପାଖରେ ଲିସାବେତାର କୋଠରି ପର୍ଯ୍ୟନ୍ତ ଲମ୍ୱି ଯାଇଥିବା ସିଡ଼ିକୁ ରାସ୍ତା । ହେର୍‌ମାନ୍ ବାଁ ପାଖର ଦରଜାଟି ଖୋଲି ସେହି ସଂକୀର୍ଣ୍ଣ ସିଡ଼ିଟିକୁ ଦେଖିଲେ ଏବଂ ସେଠାରୁ ଫେରିଆସି ଅନ୍ଧାରୁଆ ପଢ଼ାଘର ଭିତରେ ପଶିଲେ ।

 

ଧୀରେ ଧୀରେ ସମୟ ଅତିବାହିତ ହେବାକୁ ଲାଗିଲା । ବୈଠକଖାନାର ଘଣ୍ଟା ମଧ୍ୟରାତ୍ରୀ ହେବାର ଘୋଷଣା କଲା । ପରେ ପରେ ଅନ୍ୟ କୋଠରିମାନଙ୍କରେ ଥିବା ଘଣ୍ଟାଗୁଡ଼ିକ ବାଜିଉଠିଲା । ....ପୁଣି ସବୁକିଛି ନିଶବ୍ଦ ହୋଇଗଲା । ହେର୍‌ମାନ୍‌ ଥଣ୍ଡା ଷ୍ଟୋଭଟି ଉପରକୁ ଝୁଙ୍କିପଡ଼ି ଛିଡ଼ା ହୋଇ ରହିଲେ ।

 

...ଘଣ୍ଟାରେ ଠନ୍‌ ଠନ୍‌ ହୋଇ ଦୁଇଟା ବାଜିଲା । ଦୂରରୁ ଘୋଡ଼ାଗାଡ଼ି ଆସିବାର ଶବ୍ଦ ଶୁଣି ହେର୍‌ମାନ୍‌ ହଠାତ୍‍ ଉତ୍ତେଜିତ ହୋଇପଡ଼ିଲେ ।

 

ଗାଡ଼ିଟି ଆସି ଛିଡ଼ା ହେଲା । ତା’ପରେ ଗାଡ଼ି ଭିତରୁ ଓହ୍ଲାଇବାର ଶବ୍ଦ । ...ଘରର ଦରଜା ଖୋଲିଲା ଓ ଲୋକମାନେ କଥାବାର୍ତ୍ତା ହୋଇ ଘର ଭିତରକୁ ପଶିଲେ । ଘରର ଆଲୁଅ ସବୁ ଜଳିଉଠିଲା । କାଉଣ୍ଟେସ୍‌ଙ୍କର ତିନିଜଣ ବୟସ୍କା ପରିଚାରିକା ଏକରକମ ଧାଇଁଲା ଭଳି ଶୟନ କକ୍ଷ ଭିତରକୁ ପଶିଆସିଲେ ଏବଂ ମୁର୍ଦ୍ଦାର ଭଳି ପାଣ୍ଡୁର ଓ ବିମର୍ଷ ଦେଖାଯାଉଥିବା କାଉଣ୍ଟେସ୍‌ ଡେଙ୍ଗା ଆର୍ମ ଚେୟାରଟି ଉପରେ ବସିପଡ଼ିଲେ । ଲିସାବେତା ହେର୍‌ମାନ୍‌ଙ୍କ ନିକଟ ଦେଇ ଚାଲିଗଲା । ସେ ପାହାଚରେ ତଳକୁ ଓହ୍ଲାଉଥିବା ତା’ର ଚଞ୍ଚଳ ପାଦର ଶବ୍ଦ ଶୁଣି ପାରିଲେ । ସେତେବେଳେ ସେ ପଥର ପାଲଟିଗଲାଭଳି ଛିଡ଼ାହୋଇ ରହିଥିଲେ ।

 

କାଉଣ୍ଟେସ୍‌ ଦର୍ପଣ ସାମ୍ନାରେ ଛିଡ଼ାହୋଇ ପୋଷାକ ଓହ୍ଲାଇଲେ । ପରିଚାରିକାମାନେ ତାଙ୍କ ମୁଣ୍ଡରୁ ଗୋଲାପି ଟୋପିଟି ଓ କୃତ୍ରିମ କେଶଗୁଡ଼ିକୁ ବାହାର କରିନେଲେ । ହେର୍‌ମାନ୍‌ ଲୁଚି ଲୁଚି କାଉଣ୍ଟେସ୍‌ଙ୍କ ସୌନ୍ଦର୍ଯ୍ୟର ରହସ୍ୟ ସବୁ ଦେଖୁଥିଲେ । ....ଶେଷରେ କାଉଣ୍ଟେସ୍‌ କେବଳ ରାତ୍ରି ପୋଷାକ ଓ ରାତ୍ରିର ଟୋପି ପିନ୍ଧିଲେ ।

 

ପ୍ରତ୍ୟେକ ବୁଢ଼ା ବୁଢ଼ୀଙ୍କ ଭଳି କାଉଣ୍ଟେସ୍‌ଙ୍କୁ ମଧ୍ୟ ସହଜରେ ନିଦ ଲାଗୁ ନ ଥିଲା । ପରିଚାରିକାମାନେ ତାଙ୍କର ପୋଷାକପତ୍ର ଖୋଲିସାରିବା ପରେ ସେ ପରିଚାରିକାମାନଙ୍କୁ ବିଦାୟ କରିଦେଇ ଝରକା ନିକଟରେ ବସି ରହିଲେ । ଘର ଭିତରୁ ସମସ୍ତ ବତିଗୁଡ଼ିକୁ ବାହର କରି ଦିଆ ଯାଇଥିଲା । କେବଳ ସୁବର୍ଣ୍ଣ ବିମଣ୍ଡିତ ଲ୍ୟାମ୍ପଟିର ଆଲୋକ ଘରଟିକୁ ସାମାନ୍ୟ ଆଲୋକିତ କରୁଥିଲା ।

 

ସେ ଯେ ସମ୍ପୂର୍ଣ୍ଣ ଚିନ୍ତାଶୂନ୍ୟା ଥିଲେ ତାଙ୍କର ନିସ୍ତବ୍ଧ ଆଖିରୁ ବେଶ୍‌ ଜଣା ଯାଉଥିଲା । ସେ ଚଉକିଟି ଉପରେ ବସିରହି ବାଁ ଓ ଡାହାଣକୁ ଝୁଲିବାକୁ ଲାଗିଲେ । ଏହି ଅବସ୍ଥାରେ ତାଙ୍କୁ ଦେଖିଲେ ଯେ କେହି ନିଶ୍ଚୟ ଭାବିନେବ ଯେ କାଉଣ୍ଟେସ୍‌ ନିଜ ଇଚ୍ଛାରେ ଏଭଳି ଝୁଲୁ ନାହାନ୍ତି; କୌଣସି ଗୁପ୍ତ ବୈଦ୍ୟୁତିକ ଶକ୍ତି ତାଙ୍କୁ ଏଭଳି ଝୁଲାଉଛି ।

 

ମୁର୍ଦ୍ଦାର ଭଳି ତାଙ୍କର ବିକୃତ ମୁଖମଣ୍ଡଳ ଉପରେ ଅକସ୍ମାତ୍‌ ଏକ ଅବର୍ଣ୍ଣନୀୟ ପରିବର୍ତ୍ତନ ଦେଖାଦେଲା । ତାଙ୍କ ଓଠର କମ୍ପନ ହଠାତ୍ ବନ୍ଦ ହୋଇଗଲା । ଗୋଟାଏ ଅଜଣା ଲୋକ କାଉଣ୍ଟେସ୍‌ଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲା ।

 

ସେ ଧୀର ଅଥଚ ପରିସ୍କାର ସ୍ୱରରେ କହିଲା, ‘‘ଈଶ୍ୱରଙ୍କ ରାଣ ଦେଇ କହୁଛି ଆପଣ ଭୟଭୀତା ହୁଅନ୍ତୁନି । ଆପଣଙ୍କର କୌଣସି କ୍ଷତି କରିବା ମୋର ଉଦ୍ଦେଶ୍ୟ ନୁହେଁ—ମୁଁ ଆପଣଙ୍କ ସାହାଯ୍ୟ ଭିକ୍ଷା ପାଇଁ ଆସିଛି ମାତ୍ର !’’

 

ବୃଦ୍ଧା କାଉଣ୍ଟେସ୍‌ ନୀରବରେ ଆଗନ୍ତୁକଟିକୁ ଚାହିଁ ରହିଥିଲେ । ମାତ୍ର ସେ ତା’ କଥାକୁ ଶୁଣିପାରି ଥିବା ଭଳି ଜଣା ଯାଉ ନ ଥିଲେ । ତାଙ୍କର ଶ୍ରୁତି ଶକ୍ତି ହ୍ରାସ ପାଇଛି ବୋଲି ମନେକରି ଆଗନ୍ତୁକଟି ତାଙ୍କ ଡାହାଣ କାନ ନିକଟକୁ ଝୁଙ୍କିପଡ଼ି ପୁନର୍ବାର ସେହି କଥା କହିଲା, କିନ୍ତୁ କାଉଣ୍ଟେସ୍‌ ପୂର୍ବଭଳି ନୀରବରେ ବସି ରହିଥିଲେ ।

 

ଆଗନ୍ତୁକଟି ଆଉ କେହି ନୁହନ୍ତି, ଇଞ୍ଜିନିୟର ରେଜିମେଣ୍ଟର ସେହି ତରୁଣ ଅଫିସର ଏବଂ ଲିସାବେତାର ପ୍ରିୟ ହେର୍‌ମାନ୍‌ ।

 

ହେର୍‌ମାନ୍‌ କହିଚାଲି ଥିଲେ, ‘‘ଆପଣ ମତେ ସାରା ଜୀବନ ପାଇଁ ଖୁସି କରାଇ ପାରିବେ । ହେଲେ ଏଥିଲାଗି ଆପଣଙ୍କୁ ତ ଏତେଟିକେ ବି କଷ୍ଟ ସ୍ୱୀକାର କରିବାକୁ ପଡ଼ିବନି । ମୁଁ ଜାଣେ ଯେ ଆପଣ ସେହି ତିନୋଟି ରହସ୍ୟମୟ ତାସ୍‌ର ନାଁ ଜାଣନ୍ତି, ଯେଉଁ ଗୁଡ଼ିକୁ ଖେଳି ଜୁଆଖେଳରେ ଖୁବ୍‌ ସହଜରେ ଜିଣାଯାଇ ପାରେ ।’’

 

ହେର୍‌ମାନ୍‌ ଭାଙ୍ଗିପଡ଼ିଲେ । ସେ ଯେ କାଉଣ୍ଟେସ୍‌ଙ୍କଠାରୁ କ’ଣ ଚାହୁଁଛନ୍ତି ତାହା କାଉଣ୍ଟେସ୍‌ ଭଲ ଭାବରେ ଜାଣିସାରିଥିଲେ । ହେଲେ ତାଙ୍କୁ କ’ଣ ଉତ୍ତର ଦେବେ ସେହି କଥା ହିଁ ଚିନ୍ତା କରୁଥିଲେ ।

 

ପରିଶେଷରେ ସେ କହିଲେ, ‘‘ଏହା କେବଳ ଭାଗ୍ୟ ବା ଗୋଟାଏ ସୁଯୋଗ ! ମୁଁ ଶପଥ କରି କହୁଛି ଏହା ଭାଗ୍ୟ ବ୍ୟତୀତ ଆଉ କିଛି ନୁହେଁ ।’’

 

‘‘ଭାଗ୍ୟ ସହିତ ଏହାର କିଛିଟା ସମ୍ପର୍କ ନାହିଁ । ଚାପ୍‌ଲିଟ୍‌ସ୍କି କଥା ଭାବି ଦେଖନ୍ତୁତ ! ଯେକି ଆପଣଙ୍କ ସାହାଯ୍ୟ ପାଇ ତା’ର ସମସ୍ତ ଅପହୃତ ସମ୍ପଦ ଫେରି ପାଇଥିଲା ।’’

 

କାଉଣ୍ଟେସ୍‌ ଏଥର ଉପାୟଶୂନ୍ୟା ହୋଇପଡ଼ିଲେ । ତାଙ୍କ ମୁଖମଣ୍ଡଳରେ ଭାବପ୍ରବଣତାର ମୁଦ୍ରା ଦେଖାଦେଲା । କିନ୍ତୁ ସେ ଖୁବ୍‌ ଶୀଘ୍ର ପୂର୍ବଭଳି ଉଦାସୀନା ହୋଇପଡ଼ିଲେ ।

 

‘‘ହେର୍‌ମାନ୍‌ ପଚାରିଲେ, ଆପଣ ମତେ ସେହି ବିଜୟ ତାସ୍ ତିନୋଟିର ନାଁ କହିବେତ-?’’

 

କାଉଣ୍ଟେସ୍‌ ନୀରବ ରହିଲେ ।

 

ହେର୍‌ମାନ୍ କହି ଚାଲିଲେ, ‘‘କାହାପାଇଁ ଆପଣ ଏହି ରହସ୍ୟଟିକୁ ସମ୍ପାଦି ରଖିଛନ୍ତି ? ଆପଣଙ୍କ ନାତିମାନଙ୍କ ପାଇଁ ?

 

ହେଲେ ସେମାନେ ଯେ ଖୁବ୍‌ ଧନୀ ସେମାନଙ୍କ ନିକଟରେ ଟଙ୍କାର ମୂଲ୍ୟ କ’ଣ ବା ଅଛି ? ...ତା’ଛଡ଼ା ଆପଣଙ୍କ ସେହି ରହସ୍ୟମୟ ତାସ୍‌ ତିନୋଟି ଜଣେ ପ୍ରଚୁର ସମ୍ପତ୍ତିବାନ୍‌ ବ୍ୟକ୍ତିକୁ କ’ଣ ବା ସାହାଯ୍ୟ କରିପାରିବ ? ମୁଁ ପ୍ରକୃତରେ ଟଙ୍କାର ମୂଲ୍ୟ ଜାଣେ । ତେଣୁ ବିଜୟୀ ତାସ୍‌ ତିନୋଟିକୁ ମୁଁ କେବେହେଲେ ଅସଦ୍‌ ଉପାୟରେ ବ୍ୟବହାର କରିବିନି । ଆପଣ ମତେ କୁହନ୍ତୁ......’’

 

ସେ କଥା ବନ୍ଦକରି, ଉତ୍କଣ୍ଠିତ ହୋଇ ଉତ୍ତର ଅପେକ୍ଷାରେ ବସି ରହିଲେ । ମାତ୍ର କାଉଣ୍ଟେସ୍‌ ପୂର୍ବଭଳି ନୀରବ ରହିଲେ । ହେର୍‌ମାନ୍‌ ଆଣ୍ଠୁମାଡ଼ି ବସି ଖୁବ୍‌ ଅନୁନୟ କରି କହିଲେ, ‘‘ଆପଣଙ୍କ ହୃଦୟରେ ଯଦି ଏତେ ଟିକେ ସ୍ନେହ ଥାଏ,...ନବଜାତ ଶିଶୁର କ୍ରନ୍ଦନ ଶୁଣି ଆପଣ ଯଦି ହସିଉଠନ୍ତି ଏବଂ ଆପଣଙ୍କ ହୃଦୟରେ ଯଦି ମାନବିକତା ଥାଏ ତେବେ ଆପଣ ମୋ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରନ୍ତୁ ନାହିଁ । ମୋତେ ସେହି ଗୁପ୍ତ ରହସ୍ୟଟି କହିଦିଅନ୍ତୁ । ଏଥିଲାଗି ମତେ ଯଦି ଭୟଙ୍କର ପାପ ବହନ କରିବାକୁ ପଡ଼େ ବା ଶଇତାନ ସହ କୌଣସି ସର୍ତ୍ତ ସ୍ଥାପନ କରିବାକୁ ପଡ଼େ ତଥାପି ମଧ୍ୟ ମୁଁ ପ୍ରସ୍ତୁତ । ମୁଁ ଆପଣଙ୍କର ସମସ୍ତ ପାପକୁ ନିଜ ମୁଣ୍ଡରେ ବହନ କରିବାଲାଗି ମଧ୍ୟ ପ୍ରସ୍ତୁତ ଅଛି । ଆପଣ ଟିକିଏ ଭଲକରି ଭାବି ଦେଖନ୍ତୁ । ଆପଣ ଯଥେଷ୍ଟ ବୁଢ଼ୀ ହେଲେଣି, ଆଉ ବେଶିଦିନ ବଞ୍ଚିବେନି ଆପଣ ମତେ ଏହି ରହସ୍ୟଟି କହିଦେଲେ କେବଳ ମୁଁ ନୁହେଁ ମୋର ପୁଅ, ନାତି ଅଣନାତି ସମସ୍ତେ ଆପଣଙ୍କର ମହାନ୍‍ ପବିତ୍ର ସ୍ମୃତିକୁ ପୂଜା କରିବେ... ’’

 

ଏସବୁ ଶୁଣି ସାରିବା ପରେ ମଧ୍ୟ କାଉଣ୍ଟେସ୍‌ କିଛି ଉତ୍ତର ଦେଲେନି ।

 

ହେର୍‌ମାନ୍‌ ଉଠି ଛିଡ଼ା ହେଲେ ।

 

ସେ ରାଗରେ ଦାନ୍ତ କଡ଼ମଡ଼ କରି କହିଲେ, ‘‘ବୁଢ଼ୀ ଡାହାଣୀ ! ...ତେବେ ମୁଁ ତତେ ମୋ’ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ କରିବାପାଇଁ ପଡ଼ିବ !’’

 

ଏହା କହି ପକେଟରୁ ପିସ୍ତଲ୍‍ ବାହାର କଲେ ।

 

ପିସ୍ତଲ୍‍ଟିକୁ ଦେଖି କାଉଣ୍ଟେସ୍‌ ପୁନର୍ବାର ଅଧିକ ମାତ୍ରାରେ ଭାବପ୍ରବଣା ହୋଇପଡ଼ିଲେ-। ସେ ଟିକିଏ ପଛକୁ ଘୁଞ୍ଚିଯାଇ ହାତକୁ ଉପରକୁ ଟେକିଲେ, ସେ ଯେମିତି ପିସ୍ତଲ୍‍ର ଗୁଳିକୁ ସମ୍ମୁଖୀନ ହେବାଲାଗି ପ୍ରସ୍ତୁତ...ତା’ପରେ ସେ କଚାଡ଼ି ହେଲାପରି ଚଉକି ଉପରେ ବସିପଡ଼ିଲେ ଏବଂ ନିଶ୍ଚଳ ହୋଇ ପଡ଼ିରହିଲେ ।

 

ହେର୍‌ମାନ୍ ତାଙ୍କର ହାତଟାକୁ ଧରି କହିଲେ, ‘‘ଆସ.....ତୁମେତ ଛୁଆ ନୁହଁ.....ମୁଁ ତୁମକୁ ଶେଷଥର ପାଇଁ ପଚାରି ଦେଉଛି–ତୁମେ ମତେ ଏହି ସେଇ ତିନୋଟି ତାସ୍‌ଙ୍କ ନାଁ କହିବ କି ନାଁ-?’’

 

କାଉଣ୍ଟେସ୍‌ କିଛି ଉତ୍ତର ଦେଲେନି ।

 

ହେର୍‌ମାନ୍‌ ଦେଖିଲେ ଯେ ସେ ମରିଯାଇଛନ୍ତି ।

 

ଚାରି

 

ନିଜ କୋଠରିଟିରେ ବସି ରହିଥିଲା ଲିସାବେତା । ଏ ପର୍ଯ୍ୟନ୍ତ ମଧ୍ୟ ତା’ ଦେହରୁ ବଲ୍‌ନାଚର ପୋଷାକ ଓହ୍ଲାଇ ନଥିଲା । ଗଭୀର ଚିନ୍ତା ଭିତରେ ସେ ନିଜକୁ ହଜାଇ ଦେଇଥିଲା ।

 

ଆଜି ଘରକୁ ଫେରିବା ମାତ୍ରେ ସେ ଅଳସୁଆ ଚାକରାଣୀଟାକୁ ବହିଷ୍କାର କରି ଦେଇଥିଲା । କାରଣ ସେହି ଚାକରାଣୀଟା କୌଣସି କାର୍ଯ୍ୟ କରିବାଲାଗି ଅନିଚ୍ଛା ପ୍ରକାଶ କରୁଥିଲା-

 

ତା’ପରେ ସେ ବ୍ୟାକୁଳ ହୃଦୟ ନେଇ ନିଜ କୋଠରିକୁ ଫେରି ଆସିଥିଲା । ତା’ର ଦୃଢ଼ ଆଶାଥିଲା ଯେ ହେର୍‌ମାନ୍‌ ତା’ ଚିଠି ପାଇ ନିଶ୍ଚୟ ଆସି ତା’ କୋଠରିରେ ରାତ୍ରିର ଏହି ବିଳମ୍ୱିତ ପ୍ରହରରେ ତା’ରି ଅପେକ୍ଷାରେ ବସି ରହିଥିବେ । କିନ୍ତୁ ଦୂତାବାସର ବଲ୍‌ନାଚ ଘରୁ ଫେରିବା ପରେ ହେର୍‌ମାନ୍‌ଙ୍କ ସହ ଦେଖା କରିବାଲାଗି ତାର ଇଚ୍ଛା ନଥିଲା । ତେଣୁ ସେ ତା, କୋଠରିରେ ପହଞ୍ଚିବା ପରେ ହେର୍‌ମାନ୍‌ଙ୍କୁ ନ ଦେଖି ଭାଗ୍ୟକୁ ପ୍ରଶଂସା କଲା । ସେ ପୋଷାକ ନ ଖୋଲି ବସିପଡ଼ି ଏହି ଅଳ୍ପ ସମୟ ମଧ୍ୟରେ ତା’ ମନ ଭିତରେ ଘଟିଯାଇଥିବା ବିରାଟ ପରିବର୍ତ୍ତନ ବିଷୟ ସେ ଭାବୁଥିଲା ।

 

ପ୍ରଥମ କରି ସେ ଯେଉଁଦିନ ଝରକା ସାମ୍ନାରେ ହେର୍‌ମାନ୍‌ଙ୍କୁ ଦେଖିଥିଲା ସେହି ଦିନଠାରୁ ଏ ପର୍ଯ୍ୟନ୍ତ ତିନି ସପ୍ତାହ ଅତିବାହିତ ହୋଇ ନଥିଲେ ମଧ୍ୟ ଏ ଭିତରେ ତାଙ୍କ ସହ ଚିଠିପତ୍ର ଆଦାନ ପ୍ରଦାନ କଲାଣି । ସେ ତ କେବଳ ଚିଠି ପତ୍ରରୁ ତାଙ୍କ ନାଁ ଜାଣେ, ହେଲେ ଏ ପର୍ଯ୍ୟନ୍ତ ତାଙ୍କ ସହ ପଦେ ହେଲେ କଥା କହିନି...

 

...ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ଆଜି ଦୂତାବାସରେ ବଲ୍‌ନାଚ ବେଳେ ଟମସ୍କି ରାଜକୁମାରୀ ପାଉଲିନ୍‌ଙ୍କୁ ଯଥେଷ୍ଟ ବିରକ୍ତ କରାଇ ଥିଲେ । ସେ ଲିସାବେତାକୁ ତାଙ୍କ ସହ ନାଚିବା ଲାଗି ନିମନ୍ତ୍ରଣ କରି ତା’ସହ ବେଶ୍‌ ମଜା କରିଥିଲେ । ସେ ତ ଅଧିକାଂଶ ସମୟରେ ଇଞ୍ଜିନିୟରମାନଙ୍କ ବିଷୟରେ ଗପିଥିଲେ ଏବଂ କହିଥିଲେ ଯେ ଇଞ୍ଜିନିୟରମାନଙ୍କ ବିଷୟରେ ସେ ଲିସାବେତା ଅପେକ୍ଷା ଅଧିକ କଥା ଜାଣନ୍ତି । ଏକଥା ଶୁଣି ଲିସାବେତା ସହଜରେ ଅନୁମାନ କରି ନେଇଥିଲା ଯେ ଟମସ୍କି ତା’ର ଗୁପ୍ତ ପ୍ରେମ ବିଷୟରେ ସବୁକିଛି ଜାଣି ସାରିଛନ୍ତି ।

 

ସେ ହସି ହସି ପଚାରିଲା, ‘‘କିଏ ତୁମକୁ ଏକଥା କହିଲା ?’’

 

‘‘ତୁମେ ଜାଣିଥିବା କୌଣସି ବ୍ୟକ୍ତିଙ୍କର ଜଣେ ବନ୍ଧୁ ମତେ କହିଲେ’’ ଟମସ୍କି ଉତ୍ତର ଦେଲେ ।

 

‘‘ହେଲେ ସେ ଲୋକଟି କିଏ ?’’

 

‘‘ତାଙ୍କ ନା ହେର୍‌ମାନ୍‌ ।’’

 

ଲିସାବେତା କିଛି କହିପାରି ନ ଥିଲା, ତା’ର ହାତ ଗୋଡ଼ ବରଫ ପାଲଟି ଯାଇଥିଲା ଯେମିତି !

 

ଟମସ୍କି କହି ଚାଲିଥିଲେ, ‘‘ଏହି ହେରମାନ୍‌ ହେଉଛନ୍ତି ଜଣେ ରୋମାଞ୍ଚକର ବ୍ୟକ୍ତି । ତାଙ୍କର ଚେହେରା ନେପୋଲିଅନଙ୍କ ଭଳି ଆଉ ହୃଦୟ ମେଫିଷ୍ଟେଫେଲ୍‌ସ୍‌ଙ୍କ ଭଳି । ମୁଁ ଯେତେଦୂର ଜାଣେ ସେ ଜାଣିଶୁଣି ଦୁଇ ତିନିଟା ହତ୍ୟାକାଣ୍ଡ କରିଛନ୍ତି....’’

 

ହଠାତ୍‌ ଟମସ୍କି ଲିସାବେତାକୁ ଚାହିଁ କହିଲେ, ‘‘.....ଆରେ ତମେ ଏମିତି ବିମର୍ଷ ହୋଇପଡ଼ିଲ ଯେ !’’

 

ଲିସାବେତା କିମିତି ଏକ ଅସୁସ୍ଥତା ପୂର୍ଣ୍ଣ ସ୍ୱରରେ ଉତ୍ତର ଦେଲା, ‘‘ମୋ ମୁଣ୍ଡ ବିନ୍ଧୁଛି...ହଁ, ତୁମେ ସେ ଲୋକଟାର ନାଁ କ’ଣ କହିଲ ? ....ହେର୍‌ମାନ୍‌.... ?’’

 

‘‘ହେର୍‌ମାନ୍‌ ତାଙ୍କ ବଂଧୁଙ୍କ ଉପରେ ଯଥେଷ୍ଟ ଅସନ୍ତୁଷ୍ଟ । ....ମୋ’ର ଯେତେଦୂର ଧାରଣା ହେର୍‌ମାନ୍‌ଙ୍କ ଦୃଷ୍ଟି ତମରି ଉପରେ ଅଛି, କାରଣ ସେ ତାଙ୍କ ବଂଧୁଙ୍କଠାରୁ ତୁମ କଥା ଖୁବ୍‌ ଆଗ୍ରହରେ ଶୁଣନ୍ତି ।’’

 

‘‘କିନ୍ତୁ ସେ ମୋତେ କେଉଁଠାରେ ଦେଖିପାରି ଥାଆନ୍ତି ?’’

 

‘‘ଭଗବାନ ଜାଣନ୍ତି ! ...ବୋଧହୁଏ ଗିର୍ଜାରେ କିମ୍ୱା ତୁମେ ଘୋଡ଼ା ଗାଡ଼ିରେ ବସି ବୁଲିଯିବା ସମୟରେ । ସେ ହୁଏତ ତୁମରି ଶୟନ କକ୍ଷରେ ତୁମେ ଶୋଇଥିବା ଅବସ୍ଥାରେ ଦେଖିପାରି ଥାଆନ୍ତି...କାରଣ ହେର୍‌ମାନ୍‌ଙ୍କ ନିକଟରେ ସବୁକିଛି ସମ୍ଭବ ।’’

 

ହଠାତ୍‌ ତିନିଜଣ ମହିଳା ସେମାନଙ୍କ ନିକଟକୁ ଆସିଥିଲେ, ଯାହାଫଳରେ କି ଲିସାବେତା ଏତେ ଆଗ୍ରହରେ ଶୁଣୁଥିବା କଥାରେ ବାଧା ପଡ଼ିଥିଲା ।

 

ତା’ପରେ ଟମସ୍କି ବଲ୍‌ନାଚ ଲାଗି ରାଜକୁମାରୀଙ୍କୁ ସାଙ୍ଗରେ ନେଇ ଚାଲିଗଲେ । ବଲ୍‌ଘରର ଚତୁର୍ଦ୍ଦିଗରେ ଘେରାଏ ବୁଲି ଆସିବା ପରେ ସେମାନେ ପରସ୍ପରକୁ ଭଲଭାବରେ ବୁଝିପାରି ଥିଲେ ।

 

ତା’ପରେ ଟମସ୍କି ତାଙ୍କର ପୂର୍ବ ସ୍ଥାନକୁ ଫେରି ଆସିଥିଲେ । ହେଲେ ସେ ଆଉ ହେର୍‌ମାନ୍‌ ବା ଲିସାବେତା ପ୍ରତି ଆଗ୍ରହୀ ନ ଥିଲେ । କିନ୍ତୁ ଲିସାବେତା ଅଧା ରହିଯାଇଥିବା କଥାକୁ ସବୁ ଶୁଣିବା ଲାଗି ପ୍ରବଳ ଇତ୍ସୁକା ଥିଲା । ...ହେଲେ ଆଉ ସୁଯୋଗ ଜୁଟିଲାନି, ନାଚ ଆସରର ସମାପ୍ତ ଘଟିଲା ଏବଂ କାଉଣ୍ଟେସ୍‌ ଆସି ତାକୁ ସାଙ୍ଗରେ ଧରି ଘରକୁ ଫେରିଥିଲେ ।

 

ଟମସ୍କିଙ୍କ କଥା ବଲ୍‌ଘରର କେଇପଦ କଥାଭଳି ଖୁବ୍‌ ହାଲୁକା ହୋଇଥିଲେ ମଧ୍ୟ ତାହା ଏହି ରୋମାଞ୍ଚପୂର୍ଣ୍ଣ ଯୁବତୀଟିର ହୃଦୟରେ ଗଭୀର ରେଖାପାତ କରିଥିଲା । ଟମସ୍କି ଲିସାବେତା ସମ୍ମୁଖରେ ହେର୍‌ମାନ୍‌ଙ୍କ ଚରିତ୍ରକୁ ଯେଭଳି ଭାବରେ ଚିତ୍ରଣ କରିଥିଲେ, ଲିସାବେତା ମଧ୍ୟ ହେର୍‌ମାନ୍‌ଙ୍କ ବିଷୟରେ ଠିକ୍‌ ସିମିତି ଧାରଣା କରି ନେଇଥିଲା । ଟମସ୍କିଙ୍କର କଥା ଓ ତା’ର କଳ୍ପନା ଏକାଠି ମିଶି ତା’ର ସମସ୍ତ ଚିନ୍ତା ଶକ୍ତିକୁ କାବୁ କରି ପକାଇଲା । ସେ ତା’ର ଅର୍ଦ୍ଧନଗ୍ନ ଛାତି ଉପରେ ଫୁଙ୍ଗୁଳା ହାତ ଦୁଇଟାକୁ ଛନ୍ଦି ବସିପଡ଼ିଲା । ତା’ ମୁଣ୍ଡରୁ ଏ ପର୍ଯ୍ୟନ୍ତ ମଧ୍ୟ ଫୁଲଗୁଡ଼ିକୁ ବାହାର କରି ନ ଥିଲା...

 

...ହଠାତ୍‌ ଦରଜା ଖୋଲିଲା ଓ ହେର୍‌ମାନ୍‌ ଘର ଭିତରକୁ ପଶି ଆସିଲେ ।

 

ଲିସାବେତା ତା’ଶରୀରରେ ଭୟଙ୍କର କମ୍ପନ ଅନୁଭବ କଲା ।....

 

‘‘ତୁମେ ଏପର୍ଯ୍ୟନ୍ତ କେଉଁଠାରେ ଥିଲ ?’’ ସେ ଭୟମିଶା ଚାପା ସ୍ୱରରେ ପଚାରିଲା ।

 

ହେର୍‌ମାନ୍‌ ଉତ୍ତର ଦେଲେ, ‘‘କାଉଣ୍ଟେସ୍‌ଙ୍କ ଶୟନ କକ୍ଷରେ ଥିଲି । ବର୍ତ୍ତମାନ ସେହିଠାରୁ ଆସୁଛି । କିନ୍ତୁ ବର୍ତ୍ତମାନ କାଉଣ୍ଟେସ୍‌ ମୃତା ।’’

 

‘‘ହେ ଭଗବାନ୍‌ ତୁମେ କ’ଣ କହୁଛ ?’’ ଲିସାବେତା ଚିତ୍କାର କରିଉଠିଲା ।

 

‘‘ଏବଂ ମୋ’ର ଅନୁମାନ ମୁଁ ହୁଏତ ତାଙ୍କ ମୃତ୍ୟୁର କାରଣ ।’’

 

ହେର୍‌ମାନ୍‌ ଉତ୍ତର ଦେଲେ ।

 

ଲିସାବେତା ବିସ୍ଫାରିତ ନୟନରେ ତାଙ୍କୁ ଚାହିଁ ରହିଲା । ଟମସ୍କିଙ୍କ କଥା ତା’ହୃଦୟରେ ପ୍ରତିଧ୍ୱନିତ ହେବାକୁ ଲାଗିଲା, ‘‘ହେର୍‌ମାନ୍‌ ଜାଣିଶୁଣି ଅତି କମରେ ଦୁଇ ତିନିଟା ହତ୍ୟା କରିଛନ୍ତି ।’’

 

ହେର୍‌ମାନ୍‌ ଝରକା ନିକଟରେ ବସିପଡ଼ି ଲିସାବେତାକୁ ସବୁକଥା କହିଲେ ।

 

ଲିସାବେତା ଡରି ଡରି ତାଙ୍କଠାରୁ ସବୁ ଶୁଣିଲା । ସେ ଜାଣିପାରିଲା ଯେ ହେର୍‌ମାନ୍‌ ତା’ ପ୍ରେମ ଲାଗି ବ୍ୟାକୁଳ ହୋଇ ସେହି ଭାବପ୍ରବଣତାପୂର୍ଣ୍ଣ ଚିଠି ସବୁ ଲେଖୁ ନ ଥିଲେ । ତା’ର ସ୍ନେହ ପାଇଁ ପାଗଳ ହୋଇ ତାଙ୍କ ସହ ଦେଖା କରିବାଲାଗି ଅନୁରୋଧ କରୁ ନଥିଲେ ।.....ସବୁକିଛି ପଛରେ ଥିଲା ପ୍ରବଳ ଅର୍ଥ ଲୋଭର ପିପାସା...ସେହି ଅର୍ଥ ପଛରେ ହେର୍‌ମାନ୍‌ଙ୍କ ଆତ୍ମା ତୃଷାର୍ତ୍ତ ଭଳି ଧାଇଁ ବୁଲୁଥିଲା । ଲିସାବେତା ତାଙ୍କର ତୃଷା ନିବାରଣ କରି ତାଙ୍କୁ ଖୁସି କରିପାରି ନଥାନ୍ତା....

ଲିସାବେତା ଦୁଃଖରେ ଅଭିଭୂତା ହୋଇ କାନ୍ଦିବାକୁ ଲାଗିଲା । ହେର୍‌ମାନ୍‌ ନୀରବରେ ତାକୁ ଚାହିଁ ରହିଥିଲେ....ସେ ମଧ୍ୟ କ୍ଷଣକ ଲାଗି ବ୍ୟଥିତ ହୋଇ ଉଠିଥିଲେ କିନ୍ତୁ ତାଙ୍କର ଏହି ବ୍ୟଥା ଲିସାବେତା ଆଖିର ଲୁହ ବା ରୁକ୍ଷ ହୃଦୟକୁ ଭେଦ କଲାଭଳି ତା’ର କରୁଣ କ୍ରନ୍ଦନ ଜନିତ ନ ଥିଲା । ମୃତା କାଉଣ୍ଟେସ୍‌ଙ୍କ ବିଷୟ ଭାବି ସେ ମଧ୍ୟ ଦୁଃଖିତ ବା ବିଚଳିତ ହେଉ ନଥିଲେ । କେବଳ ଗୋଟିଏ ମାତ୍ର ଚିନ୍ତା ତାଙ୍କୁ ବ୍ୟଥିତ କରିଥିଲା । କାଉଣ୍ଟେସ୍‌ଙ୍କ ମୃତ୍ୟୁ ହେତୁ ସେହି ତିନୋଟି ତାସ୍‌ର ରହସ୍ୟ ତାଙ୍କ ନିକଟରେ ସବୁଦିନ ଲାଗି ଅଜଣା ହୋଇ ରହିଗଲା ।

ଲିସାବେତା ହଠାତ୍‌ ଚିତ୍କାର କରିଉଠିଲା, ‘ତୁମେ ଗୋଟାଏ ପିଶାଚ ।’’

‘‘ମୁଁ ତାଙ୍କୁ ମାରିବା ଲାଗି ଇଚ୍ଛୁକ ନଥିଲି । ମୋ’ ପିସ୍ତଲରେ ମଧ୍ୟ ଗୁଳି ନଥିଲା ।’’ ହେର୍‌ମାନ୍‌ ଉତ୍ତର ଦେଲେ ।

ତା’ପରେ ଉଭୟେ ନୀରବ ।

ସକାଳ ହୋଇ ଆସିଲା ।

ସରି ଆସିଥିବା ମହମ ବତିଟିକୁ ଲିଭାଇଦେଲା ଲିସାବେତା । ସକାଳର ପାଣ୍ଡୁର ଆଲୋକ ଘର ଭିତରକୁ ପଶି ଆସିଲା । କାନ୍ଦି କାନ୍ଦି ନାଲି ପଡ଼ିଥିବା ଲୁହଭିଜା ଆଖିକୁ ପୋଛି ଲିସାବେତା ହେର୍‌ମାନ୍‌ଙ୍କ ମୁହଁକୁ ଚାହିଁଲା । ହେର୍‌ମାନ୍‌ ଲଲାଟକୁ କୁଞ୍ଚିତ କରି ହାତ ଛନ୍ଦି ଝରକା ନିକଟରେ ବସି ରହିଥିଲେ । ଠିକ୍‌ ଏଭଳି ଅବସ୍ଥାରେ ସେ ନେପୋଲିଅନଙ୍କ ଭଳି ଦେଖା ଯାଉ ଥିଲେ । ଲିସାବେତା ମଧ୍ୟ ଏଭଳି ସାମ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।

ଟିକିଏ ଦମ୍‌ ନେଇ କହିଲା, ‘‘ତୁମେ କିପରି ବାହାରକୁ ଯିବ... ?’’ ଗୋଟିଏ ଗୁପ୍ତ ରାସ୍ତା ଦେଇ ତୁମକୁ ବାହାରେ ଛାଡ଼ି ଆସିବାଲାଗି ଭାବୁଥିଲି, କିନ୍ତୁ ଆମକୁ କାଉଣ୍ଟେସ୍‌ଙ୍କ ଶୟନ କକ୍ଷ ମଧ୍ୟ ଦେଇ ଯିବାକୁ ପଡ଼ିବ...ମୁଁ ସେବାଟେ ଯିବାକୁ ଭୟ କରୁଛି ।’’

‘‘ମତେ ସେହି ଗୁପ୍ତ ରାସ୍ତା ବିଷୟରେ ସବୁକଥା କହିଦିଅ, ମୁଁ ଏକାକୀ ଚାଲିଯିବି ।’’

ଲିସାବେତା ଉଠିଯାଇ ଡ୍ରୟର୍‌ରୁ ଚାବିଟିଏ ଆଣି ହେର୍‌ମାନ୍‌ଙ୍କୁ ଦେଲା ଓ ଗୁପ୍ତ ରାସ୍ତା ବିଷୟରେ ସମସ୍ତ କଥା ଜଣାଇ ଦେଲା । ହେର୍‌ମାନ୍‌ ତାର ଶୀତଳ ହାତକୁ ଦୁଇହାତ ପାପୁଲିରେ ଚାପିଧରି ତା’ କପାଳକୁ ଚୁମାଦେଇ ସେଠାରୁ ବାହାରିଗଲେ ।

ହେର୍‌ମାନ୍‌ ସିଡ଼ିଦେଇ ଉପରକୁ ଉଠିଲେ ଓ ବୃଦ୍ଧା କାଉଣ୍ଟେସ୍‌ଙ୍କ ଶୟନ କକ୍ଷକୁ ଗଲେ । ମୃତା ବୃଦ୍ଧା ମହିଳାଟି ପଥର ପାଲଟିଗଲା ଭଳି ବସି ରହିଥିଲେ । ହେର୍‌ମାନ୍‌ ଦୀର୍ଘ ସମୟ ଧରି ତାଙ୍କୁ ଚାହିଁ ରହିଲେ, ଯେମିତିକି ସେ ନିଜେ କୌଣସି ସତ୍ୟକୁ ଅନୁଭବ କରିବାକୁ ଚେଷ୍ଟା କରୁଥିଲେ । ତା’ପରେ ସେ ଅନ୍ଧାରୁଆ ପଢ଼ାଘରକୁ ଯାଇ ସିଡ଼ିଦେଇ ଓହ୍ଲାଇ ଗଲେ..... ।

ସିଡ଼ିର ଶେଷ ପାହାଚ ନିକଟରେ ଦରଜାଟିଏ ଥିଲା । ଲିସାବେତାଠାରୁ ଆଣିଥିବା ଚାବିଟିରେ ଦରଜାଟି ଖୋଲି ଡାହାଣପାଖେ ରାସ୍ତା ସହ ସଲଗ୍ନ ଥିବା ଗଳି ଭିତରେ ଅଳ୍ପ ସମୟ ମଧ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ପାଞ୍ଚ

 

ସେହି ମାରାତ୍ମକ ରାତ୍ରିର ତିନିଦିନ ପରେ; ଶେଷକୃତ୍ୟ ଲାଗି କାଉଣ୍ଟେସ୍‍ଙ୍କ ଶରୀରକୁ ଗିର୍ଜାକୁ ନିଆଯିବା ସମୟରେ ହେର୍‌ମାନ୍‌ ସେଠାରେ ପହଞ୍ଚିଲେ । ସେ ଏତେଟିକେ ବି ଅନୁତପ୍ତ ନ ଥିଲେ । ଯଦିଓ ତାଙ୍କର ବିବେକ ତାଙ୍କୁ ବାରମ୍ୱାର ଚେତାଇ ଦେଉଥିଲା, ‘‘ତୁ ହେଉଛୁ କାଉଣ୍ଟେସ୍‌ଙ୍କ ହତ୍ୟାକାରୀ,’’ ତଥାପି ସେ ବିବେକର ମୁହଁକୁ ବନ୍ଦକରି ଦେଉଥିଲେ ।

 

ହେର୍‌ମାନ୍‌ଙ୍କର ଖୁବ୍‌ କମ୍‌ ଦୃଢ଼ ବିଶ୍ୱାସ ଥିଲା, କିନ୍ତୁ ଅନେକଗୁଡ଼ାଏ ଅନ୍ଧବିଶ୍ୱାସ ଥିଲା । ତାଙ୍କର ବିଶ୍ୱାସ ଥିଲା ଯେ କାଉଣ୍ଟେସ୍‌ଙ୍କ ଆତ୍ମା ହୁଏତ ତାଙ୍କ ଜୀବନରେ ଭୟଙ୍କର କ୍ଷତି ଘଟାଇ ପାରେ । ତେଣୁ ସେ କାଉଣ୍ଟେସ୍‌ଙ୍କ ଶେଷକୃତ ବେଳେ ଉପସ୍ଥିତ ହୋଇ ନିଜର ଅପକର୍ମ ଲାଗି କ୍ଷମା ପ୍ରାର୍ଥନା କରିବା ଲାଗି ସ୍ଥିର କରିଥିଲେ ।

 

ହେର୍‌ମାନ୍‌ ଗିର୍ଜା ନିକଟରେ ପହଞ୍ଚିବା ବେଳକୁ ଗିର୍ଜାଟି ଜନପୂର୍ଣ୍ଣ ହେଇଯାଇଥିଲା । ହେର୍‌ମାନ୍‌ ବହୁ କଷ୍ଟରେ ଉପସ୍ଥିତ ଜନତାକୁ ଠେଲି ପେଲି ଆଗେଇଲେ । ଭେଲ୍‌ଭେଟ୍‌ କନା ଉପରେ ମୂଲ୍ୟବାନ୍‌ ଶବାଧାରଟିଏ ରଖାଯାଇଥିଲା । ମୃତା କାଉଣ୍ଟେସ୍‌ ଦୁଇ ହାତକୁ ଛାତି ଉପରେ ଛନ୍ଦି ଶୋଇ ରହିଥିଲେ । ତାଙ୍କୁ ଧଳା ପୋଷାକ ଓ ଟୋପି ପିନ୍ଧାଇ ଦିଆଯାଇଥିଲା । ଶବାଧାର ଚତୁର୍ଦ୍ଦିଗରେ କଳା ପୋଷାକ ପିନ୍ଧି ତାଙ୍କ ପରିବାରର ପରିଚାରକ ପରିଚାରିକା, ବଂଧୁ ଓ ନାତି ଅଣନାତିମାନେ ଛିଡ଼ା ହୋଇଥିଲେ । କିନ୍ତୁ ଜଣେ ହେଲେ କାନ୍ଦୁ ନ ଥିଲେ । କାଉଣ୍ଟେସ୍‌ ଏତେ ବୃଦ୍ଧା ହୋଇ ଯାଇଥିଲେ ଯେ, ତାଙ୍କ ମୃତ୍ୟୁରେ କେହି ଆଶ୍ଚର୍ଯ୍ୟ ହୋଇ ନ ଥିଲେ । ସମସ୍ତଙ୍କର ଧାରଣା ଥିଲା ଯେ କାଉଣ୍ଟେସ୍‌ ହିଁ ଏକମାତ୍ର ମହିଳା ଯେ କି ତାଙ୍କର ସମସାମୟିକ ସମସ୍ତଙ୍କ ମୃତ୍ୟୁ ପରେ ବଞ୍ଚି ରହିଥିଲେ ।

 

ଜଣେ ତରୁଣ ଧର୍ମଯାଜକ ଶେଷକୃତକାଳୀନ ଧର୍ମପାଠ ପଢ଼ିଲେ । ସେ ଖୁବ୍‌ ସରଳ ଓ ହୃଦୟସ୍ପର୍ଶୀ ଭାଷାରେ ଏହି ମହୀୟସୀ ମହିଳାଙ୍କର ଶାନ୍ତିପୂର୍ଣ୍ଣ ମୃତ୍ୟୁ ବିଷୟ ବର୍ଣ୍ଣନା କଲେ..... ।

 

ତା’ପରେ ପ୍ରଥମେ ସଂପର୍କୀୟମାନେ କାଉଣ୍ଟେସ୍‌ଙ୍କ ଶବର ଶେଷ ଦର୍ଶନ ପାଇଁ ଗଲେ । ପରେ ପରେ, ଦୀର୍ଘ ଏତେ ବର୍ଷ ଧରି କାଉଣ୍ଟେସ୍ ଯେଉଁମାନଙ୍କ ଆଡ଼ମ୍ୱରପୂର୍ଣ୍ଣ ଉତ୍ସବମାନଙ୍କରେ ଯୋଗ ଦେଉଥିଲେ ସେହି ଅତିଥିମାନେ ବହୁସଂଖ୍ୟାରେ ଶବାଧାର ଉଦ୍ଦେଶ୍ୟରେ ଆଗେଇଲେ । ସର୍ବ ଶେଷରେ କାଉଣ୍ଟେସ୍‌ଙ୍କ ସମବୟସ୍କା ତାଙ୍କର ପୁରୁଣା ପରିଚାରିକାଟି ଶବାଧାର ନିକଟକୁ ଆସିଲା । ଦୁଇଟି ଯୁବତୀ ପରିଚାରିକା ତା’ ହାତ ଧରି ତାକୁ ଚାଲିବାରେ ସାହାଯ୍ୟ କରୁଥିଲେ । ସେ କେବଳ କେଇ ଟୋପା ଲୁହ ଗଡ଼ାଇ ଥିଲା ଏବଂ ନଇଁପଡ଼ି ତା’ର ମୃତା ମାଲିକାଣୀଙ୍କ ଶୀତଳ ହାତରେ ଚୁମା ଦେଲା । ....ଏଥର ହେର୍‌ମାନ୍‌ ଶବାଧାର ନିକଟକୁ ଆସିବା ଲାଗି ସାହସ କଲେ । ସେ ପ୍ରଥମେ ଭୂଇଁଉପରେ ମୁଣ୍ଡ ନୁଆଁଇ ଅଳ୍ପ କେତୋଟି ମୁହୂର୍ତ୍ତ ଲାଗି ବସି ରହିଲେ । ତା’ପରେ ଉଠି ଛିଡ଼ାହେଲେ । ତାଙ୍କର ମୁଖମଣ୍ଡଳ ମୁର୍ଦ୍ଦାର ଭଳି ଶେତା ଦେଖା ଯାଉଥିଲା । ସେ ଶବାଧାର ନିକଟରେ ମୁଣ୍ଡ ନୁଆଁଇଲେ । ତାଙ୍କୁ ଜଣାଗଲା...ମୃତା କାଉଣ୍ଟେସ୍‌ ଯେମିତି ପ୍ରହେଳିକାପୂର୍ଣ୍ଣ ଦୃଷ୍ଟିରେ ତାଙ୍କୁ ଚାହିଁ ଆଖି ମିଟି ମିଟି କଲେ । ହେର୍‌ମାନ୍‌ ଭୟରେ ତର ତର ହୋଇ ଉଠି ପଳାଇ ଯାଉ ଯାଉ ତାଙ୍କର ପାଦ ଅସଂଯତ ହୋଇ ପଡ଼ିଲା ଏବଂ ସେ ଲମ୍ୱହୋଇ ଭୂଇଁ ଉପରେ ପଡ଼ିଗଲେ । ସଙ୍ଗେ ସଙ୍ଗେ ଲୋକମାନେ ଆସି ତାଙ୍କୁ ଉଠାଇ ନେଲେ । ଠିକ୍‌ ଏହି ସମୟରେ ଲିସାବେତାର ଅଜ୍ଞାନ ଶରୀରକୁ ଗିର୍ଜାର ବାରଣ୍ଡା ଉପରକୁ ଟେକି ନିଆ ଯାଉଥିଲା । ଏହି ଘଟଣା ସେଠାକାର ଶାନ୍ତ ବାୟୁମଣ୍ଡଳକୁ ଅଳ୍ପ କେଇକ୍ଷଣ ଲାଗି ବିଚଳିତ କରି ଦେଇଥିଲା.....

 

X X X X

 

ହେର୍‌ମାନ୍‌ ଦିନସାରା ଉତ୍ତେଜିତ ହୋଇପଡ଼ିଥିଲେ । ତେଣୁ ନିଜ ଚଳଣିର ବିରୁଦ୍ଧରେ ହେଲେ ବି ସେ ଗୋଟିଏ କୋଳାହଳ ଶୂନ୍ୟ ମଦ୍ୟଶାଳାରେ ମଧ୍ୟାହ୍ନ ଭୋଜନ ଶେଷ କରିଥିଲେ ଓ ପ୍ରଚୁର ମଦ୍ୟପାନ କରିଥିଲେ । ଦିନର ସମସ୍ତ ଉତ୍ତେଜନାକୁ ଭୁଲିଯିବା ଆଶାରେ ସେ ମଦ୍ୟପାନ କରିଥିଲେ, କିନ୍ତୁ ମଦ ତାଙ୍କର ଚିନ୍ତାଧାରାକୁ ଅଧିକ ପ୍ରଖର କରିଦେଲା । ....ସେ ଘରେ ପହଞ୍ଚିବା ମାତ୍ରେ ପୋଷାକପତ୍ର ନ ଖୋଲି ବିଛଣା ଉପରେ ଲୋଟିପଡ଼ିଲେ । ଖୁବ୍‌ ଶୀଘ୍ର ସେ ଶାନ୍ତିରେ ଶୋଇପଡ଼ିଲେ ।

 

ତାଙ୍କର ନିଦ ଭାଙ୍ଗିବା ବେଳକୁ ରାତି ହୋଇ ଯାଇଥିଲା । ଜହ୍ନ ଆଲୁଅରେ ତାଙ୍କ କୋଠରିର କିଛି ଅଂଶ ଆଲୋକିତ ହୋଇଥିଲା । ସେ ଘଣ୍ଟାକୁ ଚାହିଁଲେ—ତିନିଟା ବାଜିବାକୁ ପନ୍ଦର ମିନିଟ୍‌ ବାକି, ସେ ଆଉ ନ ଶୋଇ ବିଛଣା ଉପରେ ବସିରହି କାଉଣ୍ଟେସ୍‌ଙ୍କ ଶେଷକୃତ୍ୟ ବିଷୟରେ ଭାବିବାକୁ ଲାଗିଲେ ।

 

ଠିକ୍‌ ସେହି ସମୟରେ ରାସ୍ତା ଉପରୁ ଝରକାଦେଇ କେହି ଉଙ୍କିମାରି ସଙ୍ଗେ ସଙ୍ଗେ ଫେରିଗଲା ଭଳି ଜଣାଗଲା । ହେର୍‌ମାନ୍‌ ସେଥିପ୍ରତି ଆଦୌ ଦୃଷ୍ଟି ଦେଲେନି । ମିନିଟ୍‌କ ପରେ ସାମ୍ନା ଦରଜାଟା ଖୋଲିବାର ଶବ୍ଦ ଶୁଣାଗଲା । ହେର୍‌ମାନ୍‌ ଭାବିଲେ ବୋଧହୁଏ ତାଙ୍କର ଅଡର୍ଲି ସବୁଦିନ ଭଳି ତା’ର ନୈଶ ଆଡ୍‌ଡା ଘରେ ପ୍ରଚୁର ମଦ୍ୟପାନ କରି ରାତ୍ରିର ଏହି ବିଳମ୍ୱିତ ପ୍ରହରରେ ଘରକୁ ଫେରୁଛି । କିନ୍ତୁ ସେ ଅନଭ୍ୟସ୍ତ ପାଦ ଶବ୍ଦ ଶୁଣିପାରିଲେ । କେହି ଯେମିତି ଖୁବ୍‌ ହାଲୁକା ସ୍ଳିପର ପିନ୍ଧି ଚାଲୁଛି । କିଛି ସମୟ ପରେ ତାଙ୍କ କୋଠରିର ଦରଜା ଖୋଲିଲା ଏବଂ ଧଳା ପୋଷାକ ପରିହିତା ମହିଳାଟିଏ ଘର ଭିତରକୁ ପଶିଆସିଲା । ....ହେର୍‌ମାନ୍‌ ଭାବିଲେ ସେ ହୁଏତ ତାଙ୍କର ବୃଦ୍ଧା ନର୍ସ । ହେଲେ ଏତେ ରାତିରେ ଏଠାକୁ ସେ କାହିଁକିବା ଆସିଲେ ? ଧଳା ପୋଷାକ ପରିହିତା ମହିଳାଟି ଆସ୍ତେ ଆସ୍ତେ ଆଗେଇଲେ ଏବଂ ଆକସ୍ମାତ୍‌ ଆସି ହେର୍‌ମାନ୍‌ଙ୍କର ଖୁବ୍‌ ନିକଟରେ ଛିଡ଼ା ହେଲେ । ହେର୍‌ମାନ୍‌ ଚିହ୍ନି ପାରିଲେ ମହିଳାଟି ଆଉ କେହି ନୁହନ୍ତି ନିଜେ କାଉଣ୍ଟେସ୍‌ !

 

‘‘ମୋ’ ଇଚ୍ଛା ବିରୁଦ୍ଧରେ ମୁଁ ତୁମ ପାଖକୁ ଆସିଲି’’, କାଉଣ୍ଟେସ୍‌ ଦୃଢ଼ସ୍ୱରରେ କହିଲେ । ‘‘ମୁଁ ତୁମ ଅନୁରୋଧ ପୂରଣ କରିବାକୁ ଆସିଛି । ‘ତିନା’ ‘ସତା’ ‘ଏକା’ ଏହି ତିନୋଟି ହେଲା କ୍ରମାଗତ ଭାବରେ ଜିଣିବା ଲାଗି ତିନୋଟି ତାସ୍‌ର ନାଁ । ତୁମକୁ ମୁଁ ଏସବୁ ଏହି ସର୍ତ୍ତରେ କହୁଛି ଯେ ତୁମେ ଦିନକରେ ଗୋଟିକରୁ ଅଧିକ ତାସରେ ବାଜି ଲଗାଇବନି ଏବଂ ଥରେ ବାଜି ଲଗାଇବା ପରେ ଜୀବନରେ ଦ୍ୱିତୀୟ ଥର ପାଇଁ ଆଉ ସେହି ତାସ୍‌ଟିରେ ବାଜି ଲଗାଇବନି । ମୋ’ର ମୃତ୍ୟୁପାଇଁ ମଧ୍ୟ ମୁଁ ତୁମକୁ କ୍ଷମା କରୁଛି । ହେଲେ ଏହି ସର୍ତ୍ତରେ ଯେ ତୁମେ ମୋ’ର ପ୍ରିୟ ଲିସାବେତାକୁ ବିବାହ କରିବ......’’

 

ଏତକ କହି ସେ ଧୀରେ ଧୀରେ ଦରଜା ନିକଟକୁ ଯାଇ ବାହାରକୁ ଚାଲିଗଲେ । ହେର୍‌ମାନ୍‌ ଦରଜା ବନ୍ଦ ହେବାର ଶବ୍ଦ ଶୁଣି ପାରିଲେ ଓ କିଛି ସମୟ ପରେ ଝରକା ନିକଟରେ କେହି ଜଣେ ପୁନର୍ବାର ଉଙ୍କିମାରିବା ଭଳି ଅନୁଭବ କଲେ ।

 

ହେର୍‌ମାନ୍‌ ପ୍ରକୃତିସ୍ଥ ହେବା ବେଳକୁ ଅନେକ ସମୟ ଅତିବାହିତ ହୋଇ ଯାଇଥିଲା । ସେ ଉଠିପଡ଼ି ନିକଟସ୍ଥ କୋଠରିକୁ ଗଲେ । ଅଡ଼ର୍ଲିଟା ଚଟାଣ ଉପରେ ଶୋଇ ରହିଥିଲା । ତାକୁ ଉଠାଇବା ଲାଗି ହେର୍‌ମାନ୍‌ ବହୁତ ଚେଷ୍ଟା କଲେ । କିନ୍ତୁ ବିଫଳ ହେଲେ । ସବୁଦିନ ଭଳି ପ୍ରଚୁର ମଦପିଇ ଶୋଇପଡ଼ିଥିଲା ।.... ହେର୍‌ମାନ୍‌ ଦରଜା ନିକଟକୁ ଗଲେ । ହେଲେ ଦରଜାଟି ପୂର୍ବଭଳି ଖିଡ଼ିକି ଦିଆଯାଇ ବନ୍ଦ କରାଯାଇ ଥିଲା । ହେର୍‌ମାନ୍‌ ଏଥର ଶୟନ କକ୍ଷକୁ ଫେରିଯାଇ ମହମବତି ଲଗାଇ ଏହି ଅଳ୍ପ ସମୟ ତଳେ ଦେଖିଥିବା ଦୃଶ୍ୟ ସବୁକୁ ଲେଖିବସିଲେ ।

 

ଛଅ

 

ଦୁଇଟା ସ୍ଥିର ଓ ବିପରୀତ ଚିନ୍ତାଧାରା ମଣିଷର ନିତିଗତ ଚରିତ୍ରରେ ରହିବା ଯେଭଳି ଅସମ୍ଭବ ଠିକ୍‌ ସେହିଭଳି ବସ୍ତୁବାଦୀ ଦୁନିଆରେ ଦୁଇଜଣରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନ ଦଖଲ କରିବା ଅସମ୍ଭବ ।

 

‘ତିନା’ ‘ସତା’ ଓ ‘ଏକା’ ସଙ୍ଗେ ସଙ୍ଗେ ହେର୍‌ମାନ୍‌ଙ୍କ ମନ ଭିତରେ ମୃତା ବୃଦ୍ଧାର ଅସ୍ପଷ୍ଟ ଛାୟା ଆଣି ଦେଲେ । ‘ତିନା’ ‘ସତା’ ଓ ‘ଏକା’ ସର୍ବଦା ତାଙ୍କ ମନ ଭିତରେ ଆସ୍ଥାନ ଜମେଇ ବସିଲେ ଓ ବାରମ୍ୱାର ଓଠକୁ କମ୍ପିତ କରାଇଲେ । ସେ ଅନେକ ସମୟରେ ଚିନ୍ତାଶକ୍ତି ହରାଇ ବସିଲେ । କୌଣସି ଯୁବତୀକୁ ଦେଖିବା ମାତ୍ରେ ଚିତ୍କାର କରି ଉଠନ୍ତି, ‘‘ବାଃ ! ଝିଅଟା କେତେ ସୁନ୍ଦର ସତେ !’’

 

ତାଙ୍କୁ ସମୟ ପଚାରିଲେ କହନ୍ତି, ‘‘ସାତଟା ବାଜିବାକୁ ପାଞ୍ଚ ମିନିଟ ବାକି ଅଛି,’’....ପେଟୁଆ ଲୋକଙ୍କୁ ଦେଖିବା ମାତ୍ରେ ତାଙ୍କର ‘ଏକା’ ‘ତିନା’ ଓ ‘ସତା’ କଥା ମନେପଡ଼ିଯାଏ-। ‘ଏକା’ଟା ବିଭିନ୍ନ ରୂପନେଇ ତାଙ୍କ ସାମ୍ନାରେ ଦେଖାଦିଏ । ‘ତିନା’ଟା ତାଙ୍କ ଆଖି ସାମ୍ନାରେ ଗଦାଏ ଫୁଲ ଭଳି ଫୁଟିଉଠେ । ‘ସତା’ଟା ଗୋଟାଏ ପ୍ରାଚୀନ ସ୍ଥାପତ୍ୟର ଫାଟକ ଭଳି ଓ ‘ଏକା’ଟା ଗୋଟାଏ ପ୍ରକାଣ୍ଡ କାୟ ବୁଢ଼ିଆଣୀ ଭଳି ଦେଖାଯାଏ... ।

 

ତାଙ୍କର ସମସ୍ତ ଚିନ୍ତାଶକ୍ତି ଗୋଟିଏ ଭାବନା ଭିତରେ ହଜିଯାଏ, କିଭଳି ସେ ଏହି ଦୁର୍ଲଭ ଗୁପ୍ତତଥ୍ୟ ସାହାଯ୍ୟରେ ପ୍ରଚୁର ଧନବାନ୍‌ ହେବେ !

 

ସେ ଚାକିରିରୁ ଇସ୍ତଫା ଦେଇ ପରିଭ୍ରମଣରେ ଯିବାଲାଗି ଭାବି ବସିଲେ । ପ୍ୟାରିସ୍‌ର ବିଖ୍ୟାତ ଜୁଆଖେଳ ଖଟିରେ ଜୁଆଖେଳି ପ୍ରଚୁର ଧନର ମାଲିକ ହେବାଲାଗି ତାଙ୍କର ଇଚ୍ଛା ପ୍ରବଳ ହୋଇଉଠିଲା । ମାତ୍ର ପ୍ୟାରିସ୍‌ ଯିବାର ସୁଯୋଗ ଯୁଟିଲାନି ।

ସେତେବେଳେ ମସ୍କୋର ଧନୀ ଜୁଆଡ଼ିମାନଙ୍କର ଗୋଟାଏ ସଂଘ ଥାଏ । ଏହି ସଂଘର ସଭାପତି ଥିଲେ ବିଖ୍ୟାତ ଜୁଆ ଖେଳାଳି ଚେକାଲିନ୍‌ସ୍କି । ତାଙ୍କର ଜୀବନର ସମସ୍ତ ସମୟ ଜୁଆ ଖେଳରେ ହିଁ ଅତିବାହିତ ହୋଇଥିଲା । ସେ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ । ତାଙ୍କର ଅନୁଭୂତି ଓ ବୁଦ୍ଧି ଯୋଗୁଁ ବନ୍ଧୁ ମହଲରେ ବେଶ୍‌ ବିଶ୍ୱାସୀ ଥିଲେ । ସୌଜନତା, ଦୟାଶୀଳତା ଓ ପ୍ରଫୁଲ୍ଲତା ଯୋଗୁ ସେ ବେଶ୍‌ ଜନପ୍ରିୟ ଥିଲେ । ....ଏହି ସମୟରେ ସେ ପିଟର୍ସବର୍ଗ ଆସିଥିଲେ । ବଲ୍‌ନାଚ ଅପେକ୍ଷା ଜୁଆ ଖେଳିବା ଅଧିକ ଆମୋଦଜନକ ବୋଲି ମନେକରି ପିଟର୍ସବର୍ଗର ଯୁବକମାନେ ଆସି ତାଙ୍କ ନିକଟରେ ଭିଡ଼ ଜମାଇଲେ । ଥରେ ନାରୁମୋଭ୍‍ ହେର୍‌ମାନ୍‌ଙ୍କୁ ସାଙ୍ଗରେ ଆଣି ତାଙ୍କ ନିକଟରେ ପହଞ୍ଚିଲେ ।

ସେତେବେଳେ କେଇଜଣ ଜେନେରାଲ୍‌ ଓ ପ୍ରିଭିକାଉନସିଲର୍‌ ବସି ତାସ୍‌ ଖେଳୁଥିଲେ । କେଇଜଣ ଯୁବକ ଶୋଫା ଉପରେ ବସି ଆଇସ୍‌କ୍ରିମ୍‌ ଖାଉଥିଲେ ଓ ଚୁରୁଟ୍‌ ଟାଣୁ ଥିଲେ । ନିମନ୍ତ୍ରିତ ଭଦ୍ରବ୍ୟକ୍ତି ବୈଠକଖାନାରେ ଲମ୍ୱା ଟେବୁଲ୍‌ଟି ନିକଟରେ ବସି ରହିଥିଲେ । ପ୍ରାୟ କୋଡ଼ିଏ ଜଣ ଜୁଆଡ଼ି ତାଙ୍କୁ ଘେରି ବସିଥିଲେ ।

‘‘ତାଙ୍କର ବୟସ ଷାଠିଏ ପାଖାପାଖି । ବେଶ୍‌ ଭଦ୍ର ଚେହେରା । ମୁଣ୍ଡର ବାଳ ସବୁ ଧୂସର ରୂପେଲି ରଙ୍ଗର । ସେ ଯେ ହାସ୍ୟରସ ପ୍ରିୟ ଏହା ତାଙ୍କର ସଦାପ୍ରଫୁଲ୍ଲ ମୁଖ ମଣ୍ଡଳରୁ ବେଶ୍‌ ଜଣାଯାଉଥିଲା ।

ନାରୁମୋଭ୍‍ ତାଙ୍କ ସହ ହେର୍‌ମାନ୍‌ଙ୍କୁ ପରିଚିତ କରାଇଦେଲେ । ଚେକାଲିନ୍‌ସ୍କି ହେର୍‌ମାନ୍‌ଙ୍କ ସହ କରମର୍ଦ୍ଦନ କଲେ ଏବଂ ତାଙ୍କୁ ଜୁଆ ନ ଖେଳିବା ଲାଗି ଅନୁରୋଧ କରି ନିଜେ ଖେଳରେ ମନ ଦେଲେ ।

 

ଖେଳ ସରିବାକୁ ଅନେକ ସମୟ ବାକି ଥିଲା । ଟେବୁଲ୍‍ ଉପରେ ତିରିଶ୍‍ଟାରୁ ଅଧିକ ତାସ୍‍ ଥିଲା । ଚେକାଲିନ୍‌ସ୍କି ଦମ୍‌ ନେଇ ଗୋଟିଏ ପରେ ଗୋଟିଏ ତାସ୍‍ ଖେଳୁଥିଲେ । ଏହି ସମୟ ମଧ୍ୟରେ ଅନ୍ୟାନ୍ୟ ଖେଳାଳିମାନେ ନିଜ ହାତର ତାସଗୁଡ଼ିକୁ ଭଲ ଭାବରେ ଦେଖି ପାରୁଥିଲେ ଏବଂ ନିଜ ଲାଭକ୍ଷତିର ହିସାବ କରି ପାରୁଥିଲେ । କିଛି ସମୟପରେ ଖେଳ ଶେଷ ହେଲା । ଚେକାଲିନ୍‌ସ୍କି ତାସ୍‌ ଫେଣ୍ଟି ଆଉଥରେ ଖେଳିବାଲାଗି ପ୍ରସ୍ତୁତ ହେଲେ ।

 

ଖେଳ ଟେବୁଲ୍‍ ନିକଟରେ ବସିଥିବା ଜଣେ ପୃଥୁଳକାୟ ଭଦ୍ର ବ୍ୟକ୍ତିଙ୍କ ପଛରେ ଛିଡ଼ା ହୋଇ ଚେକାଲିନ୍‌ସ୍କିଙ୍କ ଉଦ୍ଦେଶ୍ୟରେ ହାତ ବଢ଼ାଇ ହେର୍‌ମାନ୍‌ କହିଲେ, ‘‘ଆପଣ ରାଜି ହେଲେ ମୁଁ ଥରେ ବାଜି ଲଗାଇ ଖେଳନ୍ତି ।’’

 

ଚେକାଲିନ୍‌ସ୍କି ମୁଣ୍ଡ ନୁଆଇଁ ହେର୍‌ମାନ୍‌ଙ୍କୁ ବିନମ୍ର ନିମନ୍ତ୍ରଣ ଜଣାଇଲେ । ଦୀର୍ଘ ଦିନର ଶପଥ ଭଙ୍ଗ କରି ହେର୍‌ମାନ୍‌ ଜୁଆ ଖେଳିବାଲାଗି ଯାଉଥିବାରୁ ନାରୁମୋଭ୍‌ ଅତ୍ୟଧିକ ଆନନ୍ଦିତ ହୋଇ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ।

 

ପଟେ ତାସ୍‍ ଉପରେ ବାଜି ଲଗାଉ ଥିବା ଟଙ୍କାର ପରିମାଣ ଲେଖୁ ଲେଖୁ ହେର୍‌ମାନ୍‌ କହିଲେ, ‘‘ମୁଁ ପ୍ରସ୍ତୁତ ଅଛି ।’’

 

ବ୍ୟାଙ୍କ୍‌ ହୋଲ୍‌ଡର୍‌ ହେର୍‌ମାନ୍‌ଙ୍କ ହାତରୁ ତାସ୍‍ଟିକୁ ନେଇ ଭଲଭାବରେ ନିରୀକ୍ଷଣ କରୁ କରୁ କହିଲେ, ‘‘କେତେ ଲେଖିଛ ମୁଁ ଠିକ୍‌ କରି ପଢ଼ି ପାରୁନି ।’’

 

‘‘ସତଚାଳିଶ୍‌ ହଜାର୍‌’’ ହେର୍‌ମାନ୍‌ ଉତ୍ତର ଦେଲେ ।

 

ହେର୍‌ମାନ୍‌ଙ୍କ କଥାଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ହେର୍‌ମାନ୍‌ଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ଆବଦ୍ଧ ହୋଇ ରହିଲା ।

 

ନାରୁମୋଭ୍‌ ଭାବିଲେ ବୋଧହୁଏ ହେର୍‌ମାନ୍‌ ପାଗଳ ହୋଇ ଯାଇଛନ୍ତି ।

 

ସ୍ୱଭାବ ସୁଲଭ ହସ ହସି ଚେକାଲିନ୍‌ସ୍କି କହିଲେ, ‘‘ଆପଣ ପ୍ରଚୁର ପରିମାଣର ବାଜି ଲଗାଇ ଦେଉଛନ୍ତି ! ହେଲେ କୌଣସି ଖେଳାଳି କେବେହେଲେ ଦୁଇଶହ ପଞ୍ଚସ୍ତରୀରୁ ଅଧିକ ପରିମାଣର ଅର୍ଥ ବାଜି ଲଗାନ୍ତି ନାହିଁ ।’’

 

‘‘ଠିକ୍‌ ଅଛି । ଆପଣ ଖେଳିବେତ ?’’ ହେର୍‌ମାନ୍‌ ପଚାରିଲେ ।

 

ଚେକାଲିନ୍‌ସ୍କି ମୁଣ୍ଡ ନୁଆଇଁ ସମ୍ମତି ଜ୍ଞାପନ କଲେ ।

 

ସେ କହିଲେ, ‘‘ମୁଁ ଆପଣଙ୍କୁ ଜଣାଇଦେବାକୁ ଚାହେଁ ଯେ ମୋ ବନ୍ଧୁମାନଙ୍କର ମୋ’ ଉପରେ ଦୃଢ଼ ଆସ୍ଥା ଥିବା ହେତୁ ମୁଁ ସର୍ବଦା ନଗଦ ଟଙ୍କା ବାଜି ଲଗାଇ ଖେଳେ । ମୁଁ ଆପଣଙ୍କ କଥା ଉପରେ ବିଶ୍ୱାସ କରି ସିମିତି ଖେଳି ପାରନ୍ତି କିନ୍ତୁ ଏଥିଲାଗି ମୋ’ର ବଂଧୁମାନେ ମତେ ହୁଏତ ଭୁଲ୍‌ ବୁଝିପାରନ୍ତି । ତେଣୁ ଆପଣ ବାଜି ଲଗାଉଥିବା ଟଙ୍କାକୁ ଟେବୁଲ୍‌ ଉପରେ ରଖନ୍ତୁ ।’’

 

ହେର୍‌ମାନ୍‌ ପକେଟ୍‌ରୁ ନୋଟ୍‌ ବିଡ଼ାଟାଏ ବାହାର କରି ଚେକାଲିନ୍‌ସ୍କିଙ୍କ ହାତକୁ ବଢ଼ାଇ ଦେଲେ ।

 

ତା’ପରେ ଖେଳ ଆରମ୍ଭ ହେଲା ।

 

ହେର୍‌ମାନ୍‌ ପଟେ ତାସ ଉଠାଇ ନେଇ କହିଲେ, ‘‘ମୁଁ ଜିଣିଲି ।’’

 

ଦର୍ଶକମାନଙ୍କ ମଧ୍ୟରେ ଗୁଞ୍ଜନ ସୃଷ୍ଟିହେଲା । ଚେକାଲିନ୍‌ସ୍କି ବୋକା ଭଳି ଚାହିଁ ରହିଲେ-। କିନ୍ତୁ ପର ମୁହୂର୍ତ୍ତରେ ସେ ସ୍ୱଭାବ ସୁଲଭ ହସ ହସି ହେର୍‌ମାନ୍‌ଙ୍କୁ ପଚାରିଲେ, ‘‘ବର୍ତ୍ତମାନ ଆପଣଙ୍କୁ ଟଙ୍କା ଦେବି କି ?’’

 

‘‘ଯଦି ଆପଣଙ୍କର କିଛି ଅସୁବିଧା ନଥାଏ ତେବେ ଦେଇ ପାରନ୍ତି ।’’

 

ଚେକାଲିନ୍‌ସ୍କି ପକେଟରୁ ବିଡ଼ାଏ ନୋଟ୍‌ ବାହାର କରି ସେଥିରୁ ଶତଚାଳିଶ୍ ହଜାର ଟଙ୍କାର ନୋଟ୍‌ ବାହାର କରି ହେର୍‌ମାନ୍‌ଙ୍କ ହାତକୁ ବଢ଼ାଇ ଦେଲେ ।

 

ହେର୍‌ମାନ୍‌ ଟଙ୍କାଗୁଡ଼ିକ ଧରି ଯିବାଲାଗି ଉଦ୍ୟତ ହେଲେ ।

 

ନାରୁମୋଭ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ନିକଟରେ ଥିଲେ । ହେର୍‌ମାନ୍‌ଙ୍କ କାର୍ଯ୍ୟକଳାପ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । ହେର୍‌ମାନ୍‌ ଚାଲିଯିବା ପରେ ସେ ଲିମୋନେଡ଼୍‌ ଗ୍ଲାସଟାଏ ପିଇ ଘରକୁ ଚାଲିଗଲେ ।

 

ପରଦିନ ସଂଧ୍ୟାରେ ହେର୍‌ମାନ୍‌ ଚେକାଲିନ୍‌ସ୍କିଙ୍କ ସହ ଖେଳିବା ଲାଗି ଆସି ପହଞ୍ଚିଲେ । ତାଙ୍କୁ ଦେଖି ଅନ୍ୟମାନେ ଆପେ ଆପେ ଅପସରି ଗଲେ । ଚେକାଲିନ୍‌ସ୍କି ମୁଣ୍ଡ ନୁଆଇଁ ତାଙ୍କୁ ବିନମ୍ର ନିମନ୍ତ୍ରଣ ଜଣାଇଲେ ।

 

ନୂଆ କରି ଖେଳ ଆରମ୍ଭ ହେଲା । ହେର୍‌ମାନ୍‌ ଗତ ସନ୍ଧ୍ୟାରେ ଜିଣିଥିବା ସମସ୍ତ ଟଙ୍କା ଓ ନିଜ ପାଖରେ ଥିବା ଶତଚାଳିଶ୍‌ ହଜାର ଟଙ୍କାକୁ ଏକାଠି କରି ବାଜି ଲଗାଇଲେ ।

 

ଚେକାଲିନ୍‌ସ୍କି ପ୍ରଥମେ ଖେଳ ଆରମ୍ଭ କଲେ ।

 

ସମସ୍ତେ ଆଗ୍ରହୀ ହୋଇ ଉଭୟଙ୍କୁ ଚାହିଁ ରହିଥିଲେ ।

 

ଏଥର ମଧ୍ୟ ଚେକାଲିନ୍‌ସ୍କି ହାରିଗଲେ । ସେ ଚଉରାନବେ ହଜାର ଟଙ୍କାର ନୋଟ୍‌ ହେର୍‌ମାନ୍‌ଙ୍କ ହାତକୁ ବଢ଼ାଇ ଦେଲେ । ହେର୍‌ମାନ୍‌ ଆନନ୍ଦ ଆତିଶଯ୍ୟରେ ଟଙ୍କାଗୁଡ଼ିକୁ ନେଇ ଚାଲିଗଲେ ।

 

ତା’ ପରଦିନ ସନ୍ଧ୍ୟାରେ ହେର୍‌ମାନ୍‌ ତାସ୍‍ ଖେଳ ଟେବୁଲ୍‍ ନିକଟରେ ପହଞ୍ଚିଲେ । ସମସ୍ତେ ମଧ୍ୟ ତାଙ୍କ ଉପସ୍ଥିତ ଆଶା କରୁଥିଲେ । ଜେନେରାଲ୍‌ ଓ ପ୍ରିଭିକାଉନସିଲରମାନେ ଖେଳ ଦେଖିବା ଲାଗି ଆସି ଟେବୁଲ୍‍ ନିକଟରେ ରୁଣ୍ଡ ହେଲେ । ତରୁଣ ଅଫିସରମାନେ ମଧ୍ୟ ଆସି ଟେବୁଲ୍‍ ଚାରିପାଖେ ଘେରିଗଲେ । ପରିଚାରକମାନେ ମଧ୍ୟ ସେଠାରେ ଭିଡ଼ ଜମାଇଲେ । ସମସ୍ତଙ୍କ ଆଖିରେ ଉତ୍କଣ୍ଠାଭରା ଚାହାଣି... ।

 

ହେର୍‌ମାନ୍‌ ଆଜି ବିମର୍ଷ ଦେଖାଯାଉଥିବା ସଦା ପ୍ରଫୁଲ୍ଲ ଚେକାଲିନ୍‌ସ୍କିଙ୍କ ବିରୁଦ୍ଧରେ ଖେଳିବା ଲାଗି ପ୍ରସ୍ତୁତ ହୋଇ ବସିଲେ । ଉଭୟେ ମୁଠାଏ ଲେଖାଏଁ ନୂଆ ତାସ୍‍ ଖୋଲିଲେ । ଚେକାଲିନ୍‌ସ୍କି ତାସ୍‍ଗୁଡ଼ିକୁ ଫେଣ୍ଟିଲେ । ହେର୍‌ମାନ୍‌ ନିଜ ପାଖରେ ଥିବା ସମସ୍ତ ଟଙ୍କାକୁ ଗୋଟାଏ ତାସ୍‍ ଉପରେ ଗଦାଇ ବାଜି ଲଗାଇଲେ ।

 

କୋଠରି ସାରା ନିସ୍ତବ୍‌ଧତା କାୟା ବିସ୍ତାର କଲା ।

 

ଚେକାଲିନ୍‌ସ୍କି ଅସ୍ଥିର ହାତରେ ଖେଳ ଆରମ୍ଭ କଲେ । ସେ ଡାହାଣ ପାଖରେ ଗୋଟିଏ ରାଣୀ ଓ ବାଁ ପାଖରେ ଗୋଟାଏ ଏକା ଓଲଟାଇଲେ ।

 

‘‘ଏକା ଜିଣିଲା !’’ ହେର୍‌ମାନ୍‌ ତାସ୍‍ଟିକୁ ଦେଖାଇ ଚିତ୍କାର କରି ଉଠିଲେ ।

 

‘‘କିନ୍ତୁ ତୁମେ ରାଣୀଟାଏ ଦେଖାଉଛ ଯେ !’’ ନମ୍ର ସ୍ୱରରେ କହିଲେ ଚେକାଲିନ୍‌ସ୍କି ।

 

ହେର୍‌ମାନ୍‌ ଚାହିଁଲେ, ପ୍ରକୃତରେ ‘ଏକା’ ପରିବର୍ତ୍ତେ ତାହା ଥିଲା କଳାପାନ ରାଣୀ । ସେ ନିଜ ଆଖିକୁ ବିଶ୍ୱାସ କରି ପାରିଲେନି । ସେ ବା ଏଭଳି ଏକ ବିରାଟ ଭୁଲ୍‌ କିଭଳି କରିବସିଲେ ?

 

ହଠାତ୍‌ ତାଙ୍କୁ ଜଣାଗଲା ସେଇ କଳାପାନ ରାଣୀଟା ତାଙ୍କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ହସୁଛି । ହେର୍‌ମାନ୍‌ ବିଚଳିତ ହୋଇପଡ଼ିଲେ । ସେ ଆଖିମଳି ଚାହିଁଲେ । କଳାପାନ ରାଣୀଟା ସିମିତି ଚାହିଁରହି ହସୁଥିଲା...ଠିକ୍‌ ବୃଦ୍ଧା କାଉଣ୍ଟେସ୍‌ଙ୍କ ଭଳି ।

 

‘‘କାଉଣ୍ଟେସ୍‌ ! ....ବୁଢ଼ୀ କାଉଣ୍ଟେସ୍‌’’....ହେର୍‌ମାନ୍‌ ଭୟରେ ବିହ୍ୱଳ ହୋଇ ଚିତ୍କାର କରି ଉଠିଲେ ।

 

ଚେକାଲିନ୍‌ସ୍କି ଜିଣିଥିବା ଟଙ୍କା ସବୁକୁ ଏକାଠିକରି ସାଇତି ରଖିଲେ । ହେର୍‌ମାନ୍‌ ନିଶ୍ଚଳ ହୋଇ ଛିଡ଼ା ହୋଇଥିଲେ । ସେ ଟେବୁଲ୍‌ ନିକଟରୁ ଚାଲିଯିବା ପରେ ସମସ୍ତେ ବଡ଼ପାଟି କରି ତାଙ୍କ ବିଷୟରେ ଆଲୋଚନା କରିବାରେ ଲାଗି ପଡ଼ିଲେ ।

 

‘‘ବାଃ ! କି ଚମତ୍କାର ଖେଳ ।’’ ଖେଳାଳିମାନେ ଆନନ୍ଦରେ ଚିତ୍କାର କରି ଉଠିଲେ ।

 

ଚେକାଲିନ୍‌ସ୍କି ତାସ୍‍ ଫେଣ୍ଟିଲେ । ସବୁଦିନ ଭଳି ପୁନର୍ବାର ଖେଳ ଆରମ୍ଭ ହେଲା ।

Image

 

ଉପସଂହାର

 

ହେର୍‌ମାନ୍‌ ପାଗଳ ହୋଇଗଲେ । ବର୍ତ୍ତମାନ ସେ ଆବୁଖୋଭ ଡାକ୍ତରଖାନାରେ ୧୭ ନମ୍ୱର ୱାର୍ଡ଼ରେ । ତାଙ୍କୁ ଯେତେ ପ୍ରଶ୍ନ ପଚାରିଲେ ମଧ୍ୟ ସେ ଉତ୍ତର ଦିଅନ୍ତିନି । କେବଳ ବାରମ୍ୱାର ଖୁବ୍‌ ତରତର ହୋଇ ମନକୁ ମନ କହୁଥାନ୍ତି, ‘‘ତିନା...ସତା...ଏକା...ତିନା...ସତା....ରାଣୀ.... ।’’

 

ଲିସାବେତା ଇଭାନୋଭ୍‌ନା ଜଣେ ସୁପ୍ରତିଷ୍ଠିତ ଯୁବକଙ୍କୁ ବିବାହ କଲା । ସେ ସରକାରୀ ଦପ୍ତରରେ ଚାକିରି କରନ୍ତି । ସେ ହେଉଛନ୍ତି ମୃତା କାଉଣ୍ଟେସ୍‌ଙ୍କ ପୂର୍ବତନ ଗୁମାସ୍ତାଙ୍କର ପୁଅ । ଲିସାବେତା ତା’ର ଜଣେ ସଂପର୍କୀୟା ଗରିବ ମହିଳାଙ୍କୁ ପାଖରେ ରଖିଛି ଏବଂ ଟମସ୍କି କ୍ୟାପଟେନ୍‌ ପଦକୁ ଉତ୍ତୀର୍ଣ୍ଣ ହେଲେଣି । ଖୁବ୍‌ ଶୀଘ୍ର ରାଜକୁମାରୀ ପାଉଲ୍‌ଙ୍କୁ ସେ ବିବାହ କରିବେ ।

Image